ସୁନା ଅଳଙ୍କାରରେ ଝଲସିବେ ମାଆ । ଟୁଇନ୍ ସିଟିରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଚାନ୍ଦି ମେଢ଼

111

କନକ ବ୍ୟୁରୋ: କରୋନା କଟକଣାର ୨ ବର୍ଷ ପରେ ମହାଆଡମ୍ବରରେ ହେଉଛି ଦୁର୍ଗାପୂଜା । ଦେବୀ ଦୁର୍ଗାଙ୍କ ଦଶହରା ପୂଜାକୁ ଆକର୍ଷଣୀୟ କରିବାକୁ ପ୍ରତ୍ୟେକ କମିଟି ନିଜ ନିଜ ଜଥାସାଧ୍ୟ ସାମର୍ଥ ଲଗାଇ ଦେଇଛନ୍ତି । ଆଉ ସବୁଠାରୁ ଖାସ କଥା ହେଲା ୨ ବର୍ଷ ପରେ ପୁଣି ଥରେ ପୂଜା ମଣ୍ଡପରେ ସୁନା ରୂପା ମେଢରେ ଝଲସିବେ ମାଆ ।

  • ସୁନା, ଚାନ୍ଦିରେ ଝଟକିବେ ମା’
  • ଆଲୋକମାଳରେ ଝଲସିବ ଦ୍ୱୈତନଗରୀ

ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି କଟକର ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତି । ସୁଉଚ୍ଚ ତୋରଣ, ଆକର୍ଷଣୀୟ ଆଲୋକ ମାଳାର ସମ୍ଭାର ଶୋଭା ପାଉଛି । ରୁପାର ମେଢରେ ପୂଜା ପାଇବାକୁ ଥିବା ମାଆଙ୍କ ପ୍ରତିମୂର୍ତ୍ତିରେ ଲାଗିବ ସୁନାର ମୁକୁଟ ଓ ଅଳଙ୍କାର । କଟକର ବିଭିନ୍ନ ମଣ୍ଡପରେ ମାଆଙ୍କ ପ୍ରତିମୂର୍ତି ସୁନା ଚାନ୍ଦିରେ ଝଟକୁଛି । କଟକ ଚୌଧୁରୀ ବଜାରରେ ମାଆଙ୍କ ସ୍ୱର୍ଣ୍ଣ ଅଳଙ୍କାରରେ ସଜାଯାଇଥିବା ବେଳେ ମେଢରେ ୩ କ୍ୱିଣ୍ଟାଲ ରୁପା ବ୍ୟବହାର ହୋଇଛି । ସେହିପରି ଶେଖ୍ ବଜାର ପୂଜା ପେଣ୍ଡାଲରେ ୩୬୦ କିଲୋଗ୍ରାମ ରୂପାରେ ମେଢ ତିଆରି ହୋଇଛି । ମାଆଙ୍କ ସୁନା ମୁକୁଟ, ପାଶ୍ୱର୍ଦେବାଦେବୀଙ୍କ ମୁକୁଟରେ ୭ କିଲୋ ସୁନା ଲାଗିଛି ।

ରାଜଧାନୀର ସହିଦନଗର ପୂଜା ପେଣ୍ଡାଲରେ ରୂପାର ମେଢ ହେଉଛି । ପାଖାପାଖି ୩ କ୍ୱିଣ୍ଟାଲ ରୂପାରେ ମେଢ ତିଆରି ହୋଇଛି ଓ ମାଆଙ୍କ ପ୍ରତିମୂର୍ତ୍ତିରେ ଲାଗିବ ସୁନାର ମୁକୁଟ । ଏଥିପାଇଁ ଚୂଡାନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେପଟେ ବରମୁଣ୍ଡା ପୂଜା ମଣ୍ଡପ ତୋରଣକୁ ଚଳିତ ବର୍ଷ ଯୋଧପୁର ପ୍ୟାଲେସ ଭାବେ ତିଆରି କରାଯାଇଛି । ମାଆଙ୍କ ପ୍ରତିମୂର୍ତିରେ ସୁନା ଓ ରୂପାରେ ତିଆରି ଗହଣା ପିନ୍ଧାଯିବ ।

ଦୁଇବର୍ଷ ପରେ ଦୁର୍ଗାପୂଜାରେ କରୋନା କଟକଣା ହଟିଥିବାରୁ ଏଥର ପୂଜା ମଣ୍ଡପରେ ଜମିବ ଭିଡ଼ । ରାଜଧାନୀର ବିଭିନ୍ନ ମଣ୍ଡପରେ ଆକର୍ଷଣୀୟ ତୋରଣ ମନ ମୋହିବ । ସେହିପରି କଟକରେ ସୁନା, ଚାନ୍ଦିରେ ଝଟକିବେ ମା’ । ଭିଡ଼ ନିୟନ୍ତ୍ରଣ ପାଇଁ ଟୁଇନ ସିଟିରେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।