ପ୍ରେମିକ ସାଜିଲା ପିଶାଚ । ବାହା ହେବାକୁ କହିବାରୁ ଛୁରୀରେ ପ୍ରେମିକାର ମୁଣ୍ଡ କାଟି ଅଲଗା କରିଦେଲା ସୈତାନ ପ୍ରେମିକ

588

କନକ ବ୍ୟୁରୋ : ଭୁବନେଶ୍ୱର ନିକଟ ଚନ୍ଦକା ଜଙ୍ଗଲରୁ ଉଦ୍ଧାର ହୋଇଛି ଯୁବତୀଙ୍କ ମୁଣ୍ଡକଟା ମୃତଦେହ । ମୃତ ଯୁବତୀ ସତ୍ୟବାଦୀ ଅଂଚଳର ଏବଂ ଯୁବତୀ ନିଖୋଜ ଥିବା ନେଇ ସପ୍ତାହ ତଳେ ଥାନାରେ ଏତଲା ଦିଆଯାଇଥିଲା । ପୁଲିସ ଖୋଳତାଡ କରି ଯୁବତୀଙ୍କୁ ନେଇ ଫେରାର ହୋଇଥିବା ଯୁଧିଷ୍ଠିର ସ୍ୱାଇଁକୁ ଗିରଫ କରିଥିଲା । ଆଉ ଜେରା ବେଳେ ଯୁବତୀଙ୍କୁ ମୁଣ୍ଡ କାଟି ହତ୍ୟା କରିଥିବା ପୁଲିସ ଆଗରେ ମାନିଛି ଅଭିଯୁକ୍ତ ପ୍ରେମିକ ।

ପ୍ରେମିକ ବନିଲା ସଇତାନ । ଛୁରୀରେ କାଟିଦେଲା ପ୍ରେମିକାର ମୁଣ୍ଡ । କେମିତି ନିର୍ମମ ଭାବେ ମାରିଦେଲା ପ୍ରେମିକାକୁ । କେଉଁଠି ଛୁରୀ କିଣିଲା, ଜଙ୍ଗଲର କେଉଁ ଜାଗାରେ ପ୍ରେମିକାର ମୁଣ୍ଡ କାଟି ଶରୀରରୁ ଅଲଗା କରିଦେଲା, ଗୋଟି ଗୋଟି ସବୁ ବଖାଣିଛି ପୋଲିସ ଆଗରେ । ଯାହାକୁ ବାହା ହେବ ବୋଲି କଥା ଦେଇଥିଲା, ତା’ ଜୀବନ ନେଇଯାଇଛି ପ୍ରେମିକରୁ ପିଶାଚ ବନିଥିବା ଏହି ଯୁବକ । ଇଏ ଏପରି ଏକ ଛାତିଥରା କାହାଣୀ, ଯାହାକୁ ଶୁଣିଲେ ଲୋମଟାଙ୍କୁରି ଉଠିବ । ଆଜି ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଜଙ୍ଗଲରୁ ଯୁବତୀଙ୍କ କଟା ମୁଣ୍ଡ-ଗଣ୍ଡି ଉଦ୍ଧାର ହେବା ପରେ ସାମନାକୁ ଆସିଛି ଏହି ଭୟଙ୍କର କାହାଣୀ ।

ଅଭାଗିନୀ ସସ୍ମିତା ଏପରି ଜଣେ ସଇତାନକୁ ପ୍ରେମ କରୁଥିଲା, ଯାହାକୁ ବିବାହ କରି ଘର ସଂସାର କରିବାକୁ ଚାହୁଁଥିଲା, ସେହି ପ୍ରେମିକ ନେଇଯାଇଛି ତା’ର ଜୀବନ । ଗତ ୧୩ ତାରିଖରୁ ସସ୍ମିତାଂକୁ ଘରୁ ନେଇଯାଇଥିଲା ଅଭିଯୁକ୍ତ ଯୁଧିଷ୍ଠିର । ପ୍ରେମିକ ସହିତ ଘର ସଂସାର କରିବାକୁ ସ୍ୱପ୍ନ ଦେଖୁଥିଲା ସସ୍ମିତା । ହେଲେ ବାହା ହେବା ପାଇଁ ଜିଦ୍ କରୁଥିବାରୁ ତାକୁ ରାସ୍ତାରୁ ହଟାଇବାକୁ ପୂରା ଯୋଜନା ବନାଇ ସାରିଥିଲା ଅଭିଯୁକ୍ତ ।

ପରିବାର ଲୋକଙ୍କ ଅଭିଯୋଗ ପାଇବା ପରେ ତନାଘନା ଆରମ୍ଭ କରିଥିଲା ପୋଲିସ । ଅଭିଯୁକ୍ତ ଯୁଧିଷ୍ଠିରର ମାଆଙ୍କୁ ପଚରାଉଚରା କରିବା ପରେ ଥାନାରେ ଆତ୍ମସମର୍ପଣ କରିଥିଲା ଯୁଧିଷ୍ଠିର । ଆଉ ବଖାଣିଥିଲା ଅପରାଧର ଟିକିନିକି କାହାଣୀ । ପୋଲିସକୁ ନିଜେ ଅପରାଧର ଡେମୋ ଦେଖାଇଛି ଅଭିଯୁକ୍ତ ।

ସତ୍ୟବାଦୀରେ ପ୍ରେମ, ଭୁବନେଶ୍ୱରରେ ହତ୍ୟା । ଏହି ଘଟଣା ଯେତିକି ହୃଦୟବିଦାରକ ସେତିକି ଚାଂଚଲ୍ୟକର । ତେବେ ଏଭଳି ସଂଗୀନ ଅପରାଧ ଏକା ଯୂୁଧିଷ୍ଠିର ଘଟାଇଛି, ନା ତା’ ସହ ଅଛନ୍ତି ଆଉ କେହି ଅପରାଧୀ, ଏ ନେଇ ତଦନ୍ତ ଜାରି ରହିଛି । କମିସନରେଟ୍ ପୋଲିସର ସହାୟତାରେ ଛାନଭିନ୍ ଚଳାଇଛି ସତ୍ୟବାଦୀ ପୋଲିସ । ଘଟଣା ସ୍ଥଳରୁ ମୁଣ୍ଡ- ଗଣ୍ଡି ଜବତ କରିବା ପରେ ଯୁବତୀଙ୍କ ପୋଷାକ, ରକ୍ତ ମିଶା ମାଟି ଆଦି ଜବତ କରିଛି ପୋଲିସ ।