ଜୀବନ ଯନ୍ତ୍ରଣା : ୭୦ ବର୍ଷୀୟ ହତଭାଗୀ ଚମ୍ପାଙ୍କ ଉପରେ ୩ ନାତିନାତୁଣୀଙ୍କ ଭାର, ୫ କିଲୋ ଚାଉଳ ଏବଂ ୫୦୦ ଟଙ୍କାରେ କଷ୍ଟେମଷ୍ଟେ ଚଳୁଛି ପୁରା ପରିବାର

439

କନକ ବ୍ୟୁରୋ : ପରିଣତ ବୟସରେ ପରିବାରର ବୋଝ । ଅଣ୍ଟା ସଳଖି ଛିଡ଼ା ହୋଇ ପାରୁନଥିବା ବେଳେ ମନରେ ଦମ୍ଭ ନାହିଁ । ୫ କିଲୋ ଚାଉଳ ଆଉ ୫୦୦ ଟଙ୍କା ଭତ୍ତାରେ ଚଳୁଛି ୪ ପ୍ରାଣୀକୁଟୁମ୍ବ । ଅର୍ଥାଭାବରୁ ନାତି ନାତୁଣୀଙ୍କ ପାଠପଢ଼ାରେ ଡୋରୀ ବନ୍ଧା ହୋଇଛି । ବିଡ଼ମ୍ବନାର ବିଷୟ ଅନ୍ୟର ସାହାରାରେ ବଞ୍ଚିବା ସମୟରେ ନାତୀ ନାତୁଣୀଙ୍କ ପାଇଁ ସବୁ ଯନ୍ତ୍ରଣାକୁ ହୃଦୟରେ ଚାପି ରଖିଛନ୍ତି ଅନୁଗୁଳ ପୁରୁଣାଗଡ଼ ଗାଁର ଚମ୍ପା ନାଏକ । ତାଙ୍କ ପାଇଁ ସରକାରୀ ଯୋଜନା ସାତସପନ ।

ଅନୁଗୁଳ ଛେଣ୍ଡିପଦା ପୁରୁଣାଗଡ଼ ଗାଁର ହତଭାଗୀ ଚମ୍ପା ନାଏକ ।  ୭୦ ବର୍ଷୀୟ ଜେଜେମା’ ମୁଣ୍ଡରେ ନାତିନାତୁଣୀଙ୍କ ବୋଝ ।  ଘରୁ ଜଳ ଜଳ ହୋଇ ଦିଶୁଛନ୍ତି ସୂର୍ଯ୍ୟ । ଚାଳ ଛପର ଘରେ ପଲିଥିନ୍ ଘୋଡ଼ା ହୋଇଛି । ବର୍ଷା ହେଲେ ଅବସ୍ଥା ସାଂଘାତିକ । ବୃଦ୍ଧା ବୟସରେ ୩ ଜଣ ଛୁଆଙ୍କୁ ସମ୍ଭାଳିବା ଭାରି କଷ୍ଟ । ପେଜୁଆ ଆଖିରେ ଲୁହକୁ ଛାତିରେ ଚାପିଧରି ଅନ୍ତହୀନ ସଂଗ୍ରାମ କରୁଛନ୍ତି । ସବୁ କିଛି ଠିକଠାକ୍ ଚାଲୁଥିଲା । ହେଲେ ୧୦ ବର୍ଷ ପୂର୍ବରୁ ଦାଉ ସାଝିଲା ଦଇବ । ପୁଅ ବୋହୂ ଡକାଡକି ହୋଇ ଆରପାରିକୁ ଚାଲିଗଲେ । ବାପାମା’ ଛେଉଣ୍ଡଙ୍କ ସାହାରା ସାଜିଛନ୍ତି ଜେଜେମା’ ।  

ଚମ୍ପାଙ୍କୁ ମାସିକ ୫ଶହ ଭତ୍ତା ଓ କିଲୋ ଚାଉଳ ମିଳୁଛି । ଆଉ ଏଥିରେ କଷ୍ଟେମଣ୍ଡେ ଚଳୁଛି ପୁରା ପରିବାର । ଦିନେ ଚୁଲି ଜଳିଲେ, ଦୁଇ ଦିନ ପେଟରେ ଓଦାକନା ଦେଇ ଶୋଇବାକୁ ପଡ଼ୁଛି । ଅର୍ଥ ଅଭାବରୁ ଦଶମରୁ ପାଢ଼ ଛାଡ଼ିଲା ବଡ଼ନାତି । ଆଧାର କାର୍ଡ଼ ନଥିବାରୁ କୁନି ନାତୁଣୀର ଅଙ୍ଗନୱାଡ଼ିରେ ନାମ ଲେଖା ହୋଇପାରୁନି । 

ତେବେ ଘଟଣା ସମ୍ପର୍କରେ ଜାଣିବା ପରେ ସାହାଯ୍ୟର ହାତ ବଢ଼ାଇଛି ପ୍ରଶାସନ । ତଦନ୍ତ କରି ଚମ୍ପା ନାୟକଙ୍କୁ ବିଜୁ ପକ୍କା ଯୋଜନାରେ ସାମିଲ କରିବା ସହ ବଡ଼ ନାତିକୁ ଆଗକୁ ପଢ଼ାଇବା ପାଇଁ ପ୍ରସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଛେଣ୍ଡିପଦା ବିଡ଼ିଓ ।