ହାର୍ଦ୍ଦିକଙ୍କ ବ୍ୟାଟରେ ଶ୍ରୀଲଙ୍କାର କରୁଣାରତ୍ନେ ମାରିଲେ ଲମ୍ବା ଛକା । ଭାରତ ହାତରୁ ବିଜୟ ଛଡାଇ ନେଲା ଶ୍ରୀଲଙ୍କା ।

390

କନକ ବ୍ୟୁରୋ : ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜ ଏବେ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ଉଭୟ ଭାରତ ଓ ଶ୍ରୀଲଙ୍କା ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିବା ବେଳେ ଆଜି ଖେଳାଯିବାକୁ ଥିବା ତୃତୀୟ ମ୍ୟାଚ୍ ଉପରେ ସମସ୍ତଙ୍କର ନଜର ରହିଛି । ଭାରତ ପ୍ରଥମ ମ୍ୟାଚରେ ବିଜୟୀ ହୋଇ ସିରିଜରେ ଆଗୁଆ ଥିଲେ ମଧ୍ୟ ବୁଧବାର ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ବିଜୟୀ ହୋଇ ସିରିଜ ବରାବର କରିଛି । ଶ୍ରୀଲଙ୍କାର ଏହି ଦ୍ୱିତୀୟ ବିଜୟ ପଛରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ମଧ୍ୟ ଅବଦାନ ରହିଛି । ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କାର ଅଲରାଉଣ୍ଡର ଚାମିକା କରୁଣାରତ୍ନେ ୬ ବଲରୁ ୧୨ ରନ କରି ଭାରତ ହାତରୁ ମ୍ୟାଚ୍ ଛଡାଇ ନେଇଥିଲେ । ଆଉ ଚାମିକା ଯେଉଁ ବ୍ୟାଟରେ ଧୂଆଁଧାର ଇନିଂସ ଖେଳିଥିଲେ ତାହା ତାଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା ଉପହାର ଆକାରରେ ଦେଇଥିଲେ ।

ଚାମିକା କରୁଣାରତ୍ନେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଜର ଆଦର୍ଶ ବୋଲି ମାନିଥାନ୍ତି । ଟି-୨୦ ଡେବ୍ୟୁ ମ୍ୟାଚ ପୂର୍ବରୁ ହାର୍ଦ୍ଦିକ ଏହି କଥା ଜାଣିବା ପରେ ଉପହାରରେ କରୁଣାରତ୍ନେଙ୍କୁ ବ୍ୟାଟ୍ ଦେଇଥିଲେ । ଆଉ ଦ୍ୱିତୀୟ ମ୍ୟାଚରେ ଏହି ବ୍ୟାଟରେ ବିସ୍ପୋରକ ଇନିଂସ ଖେଳି ଦଳକୁ ବଡ ବିଜୟ ଭେଟି ଦେଇଛନ୍ତି କରୁଣାରତ୍ନେ ।

କରୁଣାରତ୍ନେ ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ଉଭୟ ଦିନିକିଆ ଓ ଟି-୨୦ରେ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ମଧ୍ୟ ନିଜ ବୋଲିଂ ମାଧ୍ୟମରେ ଭାରତର ବ୍ୟାଟସମ୍ୟାନଙ୍କୁ ଅଡୁଆରେ ପକାଇଛନ୍ତି । ଆଜି ତୃତୀୟ ଟି-୨୦ ଜିତି ସିରିଜ ବିଜୟ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବେ ଉଭୟ ଟିମ୍ । ଭାରତର ଜଣେ ଖେଳାଳୀ କରୋନାରେ ଆକ୍ରାନ୍ତ ହେବା ପରେ ଅନ୍ୟ ୭ ଖେଳାଳୀଙ୍କୁ ଆଇସୋଲେସନରେ ରଖାଯାଇଛି । ଏଭଳି ସ୍ଥଳେ ଯୁବ ଖେଳାଳୀଙ୍କୁ ଧରି ସିରିଜ୍ କବଜା କରିବା ଲକ୍ଷ୍ୟରେ ରହିଛି ଧୱନ ସିପାହୀ ।