ଚାଷ ନଷ୍ଟ କରୁଛି ଚକଡ଼ା ପୋକ ! ହତାସ ଚାଷୀ ପରିବାର, ସରକାରୀ ସହାୟତାକୁ ଭରୋଷା ।

ଚକଡା ପୋକ ଏବଂ ପାଣି ଅଭାବରୁ ବିଭିନ୍ନ ଜିଲ୍ଲାରେ ଧାନ ଚାଷ ନଷ୍ଟ ହୋଇଛି ।

77

କନକ ବ୍ୟୁରୋ: ଚକଡା ପୋକ ଏବଂ ପାଣି ଅଭାବରୁ ବିଭିନ୍ନ ଜିଲ୍ଲାରେ ଧାନ ଚାଷ ନଷ୍ଟ ହୋଇଛି । କିଛି ଜିଲ୍ଲାରେ ପାଣି ଅଭାବରୁ ବିଲ ଫାଟି ଆଁ କରିଥିବା ବେଳେ ଆଉ କିଛି ଜିଲ୍ଲାରେ ଚାଷ ଜମିରେ ଚକଡା ପୋକ ଲାଗିବା କାରଣରୁ ବ୍ୟାପକ କ୍ଷୟ କ୍ଷତି ହୋଇଛି । ଏବେ ଲୋକଙ୍କ ମୁଣ୍ଡରେ ଋଣ ସୁଜିବାର ଚିନ୍ତା ମାଡି ବସିଛି । ମୟୁରଭଞ୍ଜ ଜିଲ୍ଲା ଜୟବିଲ୍ଲ ଗାଁର ଜଣେ ଚାଷୀ ଚଳିତବର୍ଷ ୨ ମାଣ ଜମିରେ ଧାନ ଚାଷ କରିଥିଲେ । ଧାନ କେଣ୍ଡାରେ ଠିକ୍ କ୍ଷୀର ବି ଧରିଲା । ହେଲେ ଠିକ୍ ଅମଳ ସମୟ ପାଖେଇ ଆସିଲା ବେଳକୁ ଧାନରେ ଲାଗିଛି ପୋକ । ଯାହା ଏବେ ଜଗେଶ୍ୱରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । କେବଳ ଜଗେଶ୍ୱର ନୁହଁନ୍ତି ମୟୁରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକରେ ଏବେ ଚକଡ଼ା ଚାଷୀଙ୍କ ମୁଣ୍ଡରେ ଚଡ଼କ ଭଳି ଲାଗିଛି ।

ସୂଚନା ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲାର ଉଦଳା, କପ୍ତିପଦା, ଗୋପବନ୍ଧୁନଗର, ଖୁଂଟା, ମୋରଡ଼ା, ବଡ଼ସାହି ଆଦି ବ୍ଲକରେ ଏହି ଚକଡ଼ା ପୋକ ଯୋଗୁଁ ବ୍ୟାପକ ଭାବରେ ଚାଷ କ୍ଷତିଗ୍ରସ୍ତ ହୋଇଛି । ସରକାରୀ ରିପୋର୍ଟ କହୁଛି ମୋଟ୍ ୫୭୪ ହେକ୍ଟର ଜମିରେ ଏଭଳି ପୋକ ଲାଗିଛି । ଜଗତସିଂହପୁର ଜିଲ୍ଲାରେ ବି ଦେଖିବାକୁ ମିଳିଛି ସମାନ ଚିତ୍ର । ପାଣି ଅଭାବରୁ ଚାଷ ବେଶ ପ୍ରଭାବିତ ହୋଇଥିବା ବେଳେ ଏବେ ଚିନ୍ତା ବଢ଼ାଇ ଦେଇଛି-ଚକଡ଼ା ପୋକ । ଜିଲ୍ଲାର କୁମ୍ଭାରୀ, ନାଳିଓ, ହାଡିଆପଡ଼ା, ଓଗୋଳପୁର ଓ କାଳିଓ ପଂଚାୟତରେ ପାଣି ଅଭାବ ଯୋଗୁଁ ଧାନକ୍ଷେତ ସବୁ ଫାଟି ଆଁ କରିଛି । ଆଉ ଚାଷୀଙ୍କ ପାଖରେ ଜଳ ଯୋଗାଣ ପାଇଁ ଅନ୍ୟ ବିକଳ୍ପ ବି କିଛି ନାହିଁ । ଏପଟେ ମୁଣ୍ଡରୁ ଦୋଷ ଛଡ଼ାଇବାକୁ ଯାଇ, ଜଳ ସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ କହୁଛନ୍ତି, ଚାଷୀଙ୍କ ପାଇଁ ଖୁବ୍ ଶୀଘ୍ର ଜଳ ଯୋଗାଣର ବ୍ୟବସ୍ଥା କରାଯିବ ।