ଦିଲ୍ଲୀ ବାସଭବନର ଚତୁର୍ଥ ମହଲାରୁ ପଡ଼ି ମୁଥୁଟ୍‌ ଗ୍ରୁପ୍‌ ଅଧ୍ୟକ୍ଷ ଏମ୍‌.ଜି. ଜର୍ଜ ମୃତ

456

କନକ ବ୍ୟୁରୋ : ଦିଲ୍ଲୀ ଅନ୍ତର୍ଗତ କୈଳାସର ପୂର୍ବାଞ୍ଚଳସ୍ଥିତ ବାସଭବନର ଚତୁର୍ଥ ମହଲାରୁ ପଡ଼ିଯାଇଥିବା ମୁଥୁଟ୍‌ ଗ୍ରୁପ୍‌ର ଅଧ୍ୟକ୍ଷ ଏମ୍‌.ଜି. ଜର୍ଜଙ୍କର ଶନିବାର ରାତିରେ ମୃତ୍ୟୁ ଘଟିଛି।

୭୨ ବର୍ଷିୟ ଜର୍ଜଙ୍କର ଏଭଳି ଆକସ୍ମିକ ମୃତ୍ୟୁ ଘଟଣାରେ କୌଣସି ଷଡ଼ଯନ୍ତ୍ର ଥିବା କଥା ପୁଲିସ ସନ୍ଦେହ କରୁନାହିଁ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଏକଥା ଦିଲ୍ଲୀର ‘ଏମ୍‌ସ୍‌’ରେ ହୋଇଥିବା ତାଙ୍କ ଶବ ବ୍ୟବଚ୍ଛେଦରୁ ସ୍ପଷ୍ଟ ହୋଇଯାଇଛି ବୋଲି ପୁଲିସ କହିଛି।
ଦକ୍ଷିଣପୂର୍ବ ପୁଲିସ ଡେପୁଟି କମିସନର୍‌ ଆର୍‌.ପି. ମୀନା କହନ୍ତି, ଜର୍ଜ ତାଙ୍କ ବାସଭବନର ଚତୁର୍ଥ ମହଲାରୁ ପଡ଼ିଯାଇଥିବା ସଂକ୍ରାନ୍ତରେ ଶୁକ୍ରବାର ରାତି ୯.୨୧ରେ ଅମର କଲୋନି ଥାନାକୁ ସୂଚନା ଦିଆଯାଇଥିଲା।

ଅବିଳମ୍ବେ ଘଟଣାସ୍ଥଳରେ ପୁଲିସ ଟିମ୍‌ ପହଞ୍ଚିବା ପରେ ତାଙ୍କୁ ‘ଫୋର୍ଟିସ୍‌ ଏସ୍କର୍ଟ ହସ୍ପିଟାଲ୍‌’କୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସୁନାଋଣ ଠାରୁ ଆରମ୍ଭ କରି ସିକ୍ୟୁରିଟି ପର୍ୟ୍ୟନ୍ତ ୨୦ରୁ ଊର୍ଦ୍ଧ୍ୱ ପ୍ରକାରର ବ୍ୟବସାୟ ଚଳାଇଥିବା ମୁଥୁଟ୍ ଫାଇନାନ୍ସ ଅଧ୍ୟକ୍ଷ ଜର୍ଜ‌ ଦୀର୍ଘଦିନ ହେବ ଦିଲ୍ଲୀରେ ବସବାସ କରୁଥିଲେ। ତାଙ୍କ ବ୍ୟବସାୟର ମୁଖ୍ୟାଳୟ କୋଚିରେ ଥିଲେ ମଧ୍ୟ ଦେଶ ଏବଂ ବିଦେଶରେ ତାଙ୍କର ରିୟଲ୍‌ ଇଷ୍ଟେଟ୍‌, ଡାକ୍ତରଖାନା, ଶିକ୍ଷା ଏବଂ ହୋଟେଲ୍‌ ଆଦି ବ୍ୟବସାୟ ରହିଛି।