ପୁଣି ଫେରୁଛି କି କରୋନା ? ୫ ରାଜ୍ୟରେ ଉପରମୁହାଁ ସଂକ୍ରମଣ, ଚିଠି ଲେଖି ସତର୍କ କରାଇଲା କେନ୍ଦ୍ର

148

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ପୁଣି ବଢିବା ଆରମ୍ଭ ହୋଇଛି । ବିଶେଷକରି ୫ ରାଜ୍ୟ ତାମିଲନାଡୁ, କେରଳ, ତେଲେଙ୍ଗାନା, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ କରୋନାର ଦୈନିକ ସଂକ୍ରମଣ ଉପରମୁହାଁ ହୋଇଛି । ତେଣୁ ଏସବୁ ରାଜ୍ୟକୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ଏହି ୫ ରାଜ୍ୟକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । କୋଭିଡ୍ ବିରୋଧୀ ଲଢେଇରେ ଢିଲା ନଦେବାକୁ ପରାମର୍ଶ ଦେଇଛନ୍ତି ।

ସଂକ୍ରମଣ ରୋକିବାକୁ ଯେଉଁସବୁ ପ୍ରତିଶେଧକ ବ୍ୟବସ୍ଥା କରାଯିବା କଥା ତାହା ତୁରନ୍ତ ଲାଗୁ କରିବାକୁ କୁହାଯାଇଛି । ସର୍ଭେଲାନ୍ସ କଡାକଡି କରିବା ସହ ଟେଷ୍ଟିଂ ବଢାଇବା ଏବଂ ନମୁନା ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଇବା ପାଇଁ ପରାମର୍ଶ ଦିଆଯାଇଛି । ଏହା ସହ ଏକାଧିକ ରୋଗରେ ଆକ୍ରାନ୍ତ ଥିବା ରୋଗୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ କୁହାଯାଇଛି । କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ କେରଳରେ ୧୧, ତାମିଲନାଡୁର ୨, ମହାରାଷ୍ଟ୍ରର ୬, କର୍ଣ୍ଣାଟକର ଗୋଟିଏ ଜିଲ୍ଲା ସମେତ ତେଲେଙ୍ଗାନାରେ ଗତ କିଛି ଦିନ ହେଲା ଦୈନିକ କରୋନା ସଂକ୍ରମଣ ଓ ଟିପିଆର ବଢିବାରେ ଲାଗିଛି ।

ଅନ୍ୟପଟେ ଗତ ୨୪ ଘଂଟାରେ ଦେଶରେ ୪ ହଜାର ଉପରେ ସଂକ୍ରମଣ ଚିହ୍ନଟ ହୋଇଛି । ଗତ ୩ ମାସ ପରେ ଦୈନିକ ସଂକ୍ରମଣ ୪ ହଜାର ପାର କରିଛି । ଗତ ମାର୍ଚ୍ଚ ୧୧ ତାରିଖରେ ୪ ହଜାର ୧୯୪ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏବେ ଦେଶରେ ଦୈନିକ ସଂକ୍ରମଣ ହାର ଶୂନ ଦଶମିକ ୯୫ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ଶୂନ ଦଶମିକ ୭୩ ପ୍ରତିଶତ ରହିଛି ।