ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ଚେତାବନୀ । କହିଲେ ‘ ଡିସେମ୍ବର ୧୫ ସୁଦ୍ଧା ଭୂମିହୀନ ହିତାଧିକାରୀଙ୍କୁ ଜମି ନଦେଲେ ଫେରିଯିବ ଅନୁଦାନ’

370

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ଚେତାବନୀ । ଭୂମିହୀନ ହିତାଧିକାରୀଙ୍କୁ ଜମି ଯୋଗାଇବାକୁ ଓଡ଼ିଶା ସମେତ ୫ ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର । ଚଳିତ ମାସ ୧୫ ସୁଦ୍ଧା ଭୂମିହୀନ ହିତାଧିକାରୀମାନଙ୍କୁ ଜମି ଯୋଗାଇ ନଦେଲେ ଅନୁଦାନ ଫେରାଇନେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ସରକାର ।

ଅନ୍ୟପଟେ ଏହାକୁ ଉତ୍ତମ ପ୍ରଦର୍ଶନ କରୁଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳମାନଙ୍କୁ ପୁନଃ ଏହି ଅନୁଦାନ ଆବଂଟନ କରାଯିବ । ଓଡ଼ିଶା ସହ ତାମିଲନାଡ଼ୁ, ବିହାର, ମହାରାଷ୍ଟ୍ର ଓ ଆସାମକୁ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଏହି ଚେତାବନୀ ଦେଇଛି । ମନ୍ତ୍ରାଳୟର ଉପ ମହାନିର୍ଦ୍ଦେଶକ ଗୟା ପ୍ରସାଦଙ୍କ ଦ୍ୱାରା ପଠାଇଥିବା ଚିଠରେ ଲେଖା ରହିଛି, ୫ ରାଜ୍ୟରେ ଭୂମିହୀନମାନଙ୍କୁ ଜମି ଯୋଗାଇ ଦିଆଯାଇ ନାହିଁ । ଏମାନଙ୍କୁ ଜମି ଯୋଗାଇଦେବା ସେହି ରାଜ୍ୟ ଦାୟିତ୍ୱ । ଏସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯାଇଥିଲା । ହେଲେ ଏଦିଗରେ କୌଣସି କାର୍ଯ୍ୟ କରାଯାଇନାହିଁ । ଓଡ଼ିଶାରେ ୫୭ ହଜାର ୯୩୨ ଭୂମିହୀନ ହିତାଧିକାରୀଙ୍କ ମଧ୍ୟରୁ ୩୯ ହଜାର ୮୯ ଜଣଙ୍କୁ ଜମି ଯୋଗାଇ ଦିଆଯାଇଥିବା ବେଳେ ଅନ୍ୟ ୧୮ ହଜାର ୮୪୩ ହିତାଧିକାରୀଙ୍କୁ ଏପର୍ଯ୍ୟନ୍ତ ଜମି ମିଳନାହିଁ । ଯାହା ବାସ୍ତବିକ କ୍ଷୋଭର ବିଷୟ ବୋଲି କେନ୍ଦ୍ର ସରକାର ଉଲ୍ଲେଖ କରିଛନ୍ତି ।