୬ ଜିଲ୍ଲାରେ ସଂକ୍ରମଣ ବଢୁଥିବା ନେଇ ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର । ଖୋର୍ଦ୍ଧା ସ୍ଥିତି ଉପରେ ନଜର ରଖିବାକୁ ପରାମର୍ଶ 

374

କନକ ବ୍ୟୁରୋ: କରୋନା ସଂକ୍ରମଣ ବଢୁଥିବା ନେଇ ରାଜ୍ୟ ସରକାରଙ୍କୁ ସତର୍କ କରିଛି କେନ୍ଦ୍ର  । ସପ୍ତାହେ ହେବ ଓଡ଼ିଶାର ୬ ଟି ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଉଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସତର୍କ କରିଛି । ଏହି ଜିଲ୍ଲାଗୁଡିକ ହେଉଛି ଢେଙ୍କାନାଳ, କନ୍ଧମାଳ,  ନବରଙ୍ଗପୁର, କେନ୍ଦୁଝର, ଅନୁଗୁଳ, ବଲାଙ୍ଗୀର । ଢେଙ୍କାନାଳ ଗୋଟିଏ ସପ୍ତାହରେ ୬୬୬ ପ୍ରତିଶତ ବୃଦ୍ଧି ପାଇଛି ସଂକ୍ରମଣ । ୨୦ରୁ ୨୬ ତାରିଖ ମଧ୍ୟରେ ମାତ୍ର ୯ ମାମଲା ଚିହ୍ନଟ ହୋଇଥିବା ବେଳେ ଏହାର ପର ସପ୍ତାହରେ ୬୯ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ସପ୍ତାହରେ କନ୍ଧମାଳରେ ୨୫୦ ପ୍ରତିଶତ, ନବରଙ୍ଗପୁରରେ ୧୫୦ ପ୍ରତିଶତ, କେନ୍ଦୁଝରରେ ୧୦୯ ପ୍ରତିଶତ ନୂଆ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଯାଇଛି । ଏହି ୬ ଜିଲ୍ଲାକୁ ଛାଡି ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏ ସପ୍ତାହରେ ୯୦୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଚିଠି ଲେଖି ଅବଗତ କରିଛନ୍ତି । ତେବେ ଓଡ଼ିଶାରେ ମାସକ ମଧ୍ୟରେ ୭ ହଜାର ୪୪୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଦେଶରେ ଚିହ୍ନଟ ନୂଆ ସଂକ୍ରମିତଙ୍କ ୨.୫ ପ୍ରତିଶତ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।  ସଂକ୍ରମଣ ରୋକିବା ପାଇଁ କୋଭିଡ କଟକଣା କଡାକଡି ଭାବେ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

କରୋନାର ନୂଆ ପ୍ରଜାତି ଓମିକ୍ରନକୁ ନେଇ ସରକାର ସଜାଗ ରହିଛନ୍ତି । ବିମାନବନ୍ଦରରେ ଲୋକମାନଙ୍କର ସ୍କ୍ରିନିଂ ଏବଂ ଟେଷ୍ଟିଂ କରାଯାଉଛି । ନେଗେଟିଭ୍ ଆସୁଥିବା ବ୍ୟକ୍ତିମାନଙ୍କୁ ହୋମ ଆଇସୋଲେସନରେ ରହିବାକୁ କୁହାଯାଇଛି ବୋଲି ଡିଏମଇଟି ରମା ରମଣ ମହାନ୍ତି କହିଛନ୍ତି । ଭୟଭୀତ ନ ହୋଇ ଟିକା ନେବାକୁ ପରାମର୍ଶ ଦେଇଛନ୍ତି ।  ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, ଟିକା କ୍ରସ ପ୍ରୋଟେକ୍ସନ୍ ଦେବ । ଗୁରୁତର ହେବେ ନାହିଁ ରୋଗୀ । ଯେଉଁମାନେ ବିଦେଶରୁ ଓଡ଼ିଶା ଆସୁଛନ୍ତି ତାଙ୍କ ଉପରେ କଡ଼ା ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ । ଶିକ୍ଷାନୁଷ୍ଠାନଗୁଡିକରେ ଯେପରି କରୋନା ସଂକ୍ରମଣ ନ ବଢ଼ିବ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି ।