ଜାଏଡସ କାଡିଲା ପ୍ରସ୍ତୁତ ପିଲାଙ୍କ କରୋନା ଟିକାର ଦର ଧାର୍ଯ୍ୟ : ଡୋଜ ପିଛା ୨୬୫ ଟଙ୍କାରେ କିଣିବେ କେନ୍ଦ୍ର ସରକାର

୧ କୋଟି ଟିକା କିଣିବାକୁ ଜାଏଡସ କାଡିଲାକୁ ଦିଆଗଲା ଅର୍ଡର । ୧୨ରୁ ୧୮ ବର୍ଷ ବୟସ ପିଲାଙ୍କୁ ଦିଆଯିବ ଏହି ଟିକା

112

କନକ ବ୍ୟୁରୋ : କୋଭିଡ ଟିକା ଜାଇଡସ କାଡିଲାର ଦର ସ୍ଥିର କଲେ କେନ୍ଦ୍ର ସରକାର । ଗୋଟିଏ ଡୋଜର ଦାମ ୨୬୫ ଟଙ୍କା ସ୍ଥିର ହୋଇଛି । ଏହି ଟିକା ବିନା ଛୁଞ୍ଚିରେ ଦିଆଯିବ । ଏହି ପ୍ରକ୍ରିୟାକୁ ଫାର୍ମାଜେଟ୍ ବୋଲି କୁହାଯାଉଛି । ଏହି ଫାର୍ମାଜେଟ୍ ପ୍ରକ୍ରିୟା ପାଇଁ ଟିକା ବାଦ୍ ଅତିରିକ୍ତ ୯୩ ଟଙ୍କା ଦେବାକୁ ହେବ । ଏହା ଉପରେ ଜିଏସଟି ମଧ୍ୟ ଲାଗିବ । ମୋଟ୍ ଉପରେ ଜାଇଡସ କାଡିଲାର ତିନୋଟି ଡୋଜ ନେଲେ ଜଣଙ୍କୁ ୧୧୨୮ ଟଙ୍କା ଖର୍ଚ୍ଚ କରିବାକୁ ହେବ । ଏ ସମସ୍ତ ଟଙ୍କା ସରକାର ବହନ କରିବେ ।

ଏଥିପାଇଁ ସରକାର ୧ କୋଟି ଟିକା ଅର୍ଡର କରିଛନ୍ତି । ପୂର୍ବରୁ ଅନୁମତି ପାଇଥିବା ଟିକା ଛୁଞ୍ଚି ସାହାଯ୍ୟରେ ଦିଆଯାଉଛି । ହେଲେ ଏହା ବିନା ଛୁଞ୍ଚିରେ ଦିଆଯିବ । ତେଣୁ ଏହି ଟିକା ନେବାକୁ ଅଧିକ ଲୋକ ଆଗ୍ରହ ଦେଖାଇବେ ବୋଲି ଜାୟଡସ କାଡିଲାର ଏମଡି ଡାକ୍ତର ଶର୍ଭିଲି ପଟେଲ କହିଛନ୍ତି । ଏହି ଟିକା ୧୨ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ । ଅଗଷ୍ଟରେ କେନ୍ଦ୍ର ସରକାର ଏହି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ । ଏହା ବିଶ୍ୱର ପ୍ରଥମ ଡିଏନଏ ଭିତିକ ଟିକା । ପ୍ରଥମ ଟିକା ନେବାର ୨୮ ଦିନ ପରେ ଦ୍ୱିତୀୟ ଟିକା ନିଆଯିବ । ଅନ୍ତିମ ଟିକା ପ୍ରଥମ ଟିକା ନେବାର ୫୬ ଦିନ ପରେ ନିଆଯିବ । ଏହା ଡିନିଏ ଭିତିକ ଟିକା ହୋଇଥିବାରୁ କରୋନାର ସମସ୍ତ ପ୍ରକାର ଭାରିଆଂଟ ସହିତ ମୁକାବିଲା କରିବାରେ ସକ୍ଷମ ।