ଓମିକ୍ରନ ଭୟ : ଓଡିଶା ସମେତ ୧୦ ରାଜ୍ୟ ବଢାଇଲା ଚିନ୍ତା; ଦୈନିକ ସଂକ୍ରମଣ ହାର ୧୬.୪୧ %

153

କନକ ବ୍ୟୁରୋ : ଓମିକ୍ରନ ଭୟ ଭିତରେ ୧୦ ରାଜ୍ୟ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । ଯେଉଁଥିରେ ଓଡିଶା ସମେତ, ଦିଲ୍ଲୀ, କର୍ଣ୍ଣାଟକ ଭଳି ରାଜ୍ୟ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସ୍ଥିତି ସମ୍ଭାଳିବାକୁ କେନ୍ଦ୍ର ସରକାର ପଦକ୍ଷେପ ନେବେ ବୋଲି ସୂଚନା ରହିଛି । ୧୦ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ୟୁପି, ଗୁଜରାଟ, ଓଡିଶା, ଦିଲ୍ଲୀ ଏବଂ ରାଜସ୍ଥାନରେ ସଂକ୍ରମଣ ଶୀର୍ଷରେ ରହିଛି ।

ଏହି ରାଜ୍ୟ ମଧ୍ୟରୁ ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ତାମିଲନାଡୁ ଦିଲ୍ଲୀ ଏବଂ ଉତର ପ୍ରଦେଶର ସ୍ଥିତି ଚିନ୍ତାଜନକ ବୋଲି କହିଛି କେନ୍ଦ୍ର । ସେହିପରି ଚାରି ସପ୍ତାହ ମଧ୍ୟରେ ଏସିଆରେ ସଂକ୍ରମଣ ବଢିଛି ବୋଲି ରାଜେଶ ଭୂଷଣ କହିଛନ୍ତି । ବିଶ୍ୱରେ ଏବେ କୋଭିଡର ଚତୁର୍ଥ ଲହର ଚାଲିଛି । କରୋନା ବିରୋଧ ଲଢେଇରେ ଟିକା ଏକ ବଡ ଅସ୍ତ୍ର ସାବ୍ୟସ୍ତ ହୋଇଛି । ଟିକାକରଣ ଭାରତ ପାଇଁ ଏକ ବରଦାନ ସାବ୍ୟସ୍ତ ହୋଇଛି । ଯାହା ଫଳରେ ପ୍ରଥମ ଓ ଦ୍ୱିତୀୟ ଲହର ତୁଳନାରେ ଦେଶରେ ତୃତୀୟ ଲହର ବେଳେ ମୃତ୍ୟୁ ହାର ବେଶ୍ କମ୍ ରହିଛି ବୋଲି ଆଇସିଏମଆର ଡିଜି ଡାକ୍ତର ବଳରାମ ଭାର୍ଗବ କହିଛନ୍ତି ।