ଅଯୋଧ୍ୟା ରାମଜନ୍ମ ଭୂମି ବିବାଦରେ ନୂଆ ମୋଡ: ଅଣବିବାଦୀୟ ଜମି ଫେରାଇ ଦେବାକୁ ସୁପ୍ରିମକୋର୍ଟରେ କେନ୍ଦ୍ରର ଆବେଦନ

157

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ଆଗରୁ ଅଯୋଧ୍ୟା ରାମଜନ୍ମ ଭୂମି ବିବାଦ ନୂଆ ମୋଡ ନେଇଛି । ଏହି ମାମଲାରେ ଆଜି ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କେନ୍ଦ୍ର ସରକାର । ଅଣବିବାଦୀୟ ଜମିରେ ନିର୍ମାଣ ଉପରେ ଲାଗିଥିବା ରହିତାଦେଶ ହଟାଇବା ପାଇଁ ମୋଦି ସରକାର ଆବେଦନ କରିଛନ୍ତି । ରାମ ମନ୍ଦିର ପାଇଁ କେନ୍ଦ୍ର ସରକାର ଅଧିଗ୍ରହଣ କରିଥିବା ମୋଟ ୬୭ ଏକର ଜମିରୁ ୨.୭୭ ଏକର ଜମି ବିବାଦରେ ରହିଛି ।

ବିବାଦୀୟ ଜମିକୁ ବାଦ ଦେଇ ଅଣବିବାଦୀୟ ଜମି ଉପରୁ ପ୍ରତିବନ୍ଧ ହଟାଇବା ପାଇଁ ଆବେଦନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି । ବିବାଦୀୟ ୨.୭୭ ଏକର ଜମିକୁ ୨୦୧୦ ମସିହାରେ ଆହ୍ଲାବାଦ ହାଇକୋର୍ଟ ୩ ଭାଗରେ ବାଂଟି ଦେଇଥିଲେ  । ସାଧାରଣ ନିର୍ବାଚନ ଆଗରୁ ମୋଦି ସରକାରଙ୍କ ଏହା ଏକ ବଡ ପଦକ୍ଷେପ ବୋଲି ଚର୍ଚ୍ଚା ହେଉଛି । ରାମ ଜନ୍ମଭୂମି ଓ ବାବରୀ ମସଜିଦ୍ ନିକଟରେ ଥିବା ଏହି ବିବାଦୀୟ ଜମିକୁ ୧୯୯୧ ମସିହାରେ କେନ୍ଦ୍ର ସରକାର ଅଧିଗ୍ରହଣ କରିଥିଲେ ।

ଅଯୋଧ୍ୟ ବିବାଦରେ ଆଜି ସୁପ୍ରିମେକାର୍ଟରେ ଶୁଣାଣୀ ହେବାର ଥିଲା । କିନ୍ତୁ ଏହି ମାମଲାର ବିଚାର ପାଇଁ ଗଠିତ ଖଣ୍ଡପୀଠର ବିଚାରପତି ଜଷ୍ଟିସ ବୋବଡେଙ୍କ ଅନୁପସ୍ଥିତି ଯୋଗୁଁ ଆଜିର ଶୁଣାଣିକୁ ଘୁଂଚାଇ ଦିଆଯାଇଛି । ତେବେ କେବେ ପରବର୍ତି ଶୁଣାଣି ହେବ ତାହା ସ୍ଥିର ହୋଇନାହିଁ ।