ନିଜ ଦେଶରେ ଗୋମାଂସ ଖାଅ ପରେ ଭାରତ ଆସ ! ଗୋମାଂସ ଭକ୍ଷଣ ଉପରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କ ବୟାନ

74

କନକ ବ୍ୟୁରୋ : ଭାରତରେ ଗୋମାଂସ ଖାଇବାକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ । ଭାରତକୁ ଆସୁଥିବା ପର୍ଯ୍ୟଟକମାନେ ଭାରତରେ ଗୋମାଂସ ଭକ୍ଷଣ ନକରନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି । ଭାରତ ଆସିବା ପୂର୍ବରୁ ନିଜ ଦେଶରେ ଗୋମାଂସ ଭକ୍ଷଣ କରି ଭାରତକୁ ଆସନ୍ତୁ ବୋଲି ନୂଆ ପର୍ଯ୍ୟଟନ ମନ୍ତ୍ରୀ କେ.ଜେ ଅଲଫୋନ୍ସ କହିଛନ୍ତି ।

ଭୁବନେଶ୍ୱରରେ ଟୁର ଅପରେଟର ସମ୍ମିଳନୀରେ ଯୋଗଦେବାକୁ ଓଡିଶା ଗୃରେ ଆସିଥିଲେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ କେ.ଜେ ଅଲଫୋନ୍ସ । ଦେଶରେ ଗୋମାଂସ ଉପରେ କଟକଣା ଲାଗୁଥିବାବେଳେ ଏଥିପାଇଁ ପର୍ଯ୍ୟଟନ କ୍ଷେତ୍ର ପ୍ରଭାବିତ ହେବ କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ । ବିଦେଶୀ ପର୍ଯ୍ୟଟକ ଯେଉଁମାନେ ଗୋମାଂସ ଭକ୍ଷଣ କରନ୍ତି ସେମାନେ ନିଜ ଦେଶରେ ଗୋମାଂସ ଖାଇ ଭାରତକୁ ଆସନ୍ତୁ ।

କେରଳରେ ଗୋମାଂସ ଭକ୍ଷଣକୁ ନେଇ ଲୋକେ ଆନ୍ଦୋଳନ କରୁଛନ୍ତି ଓ ଗୋଆରେ ଲୋକେ ଗୋମାଂସ ଭକ୍ଷଣ କରୁଥିବା କଥା ମୁଖ୍ୟମନ୍ତ୍ରୀ ମନୋହର ପାରିକର ନିକଟରେ କହିଥିବା ବେଳେ ଏହି ସମୟରେ ଏପରି ଏକ ମନ୍ତବ୍ୟ ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ କେ.ଜେ ଅଲଫୋନ୍ସ । ଏପରି ମନ୍ତବ୍ୟ ଦ୍ୱାରା ପର୍ଯ୍ୟଟନ କ୍ଷେତ୍ର ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି ।

ଗୋହତ୍ୟା ନେଇ ୨୧ ଟି ରାଜ୍ୟରେ ପ୍ରତିବନ୍ଧକ ଲାଗିଛି । ଯାହା ମଧ୍ୟରେ ରହିଛି ଛତିଶଗଡ, ହରିୟାଣା, ଜମ୍ମୁ ଓ କଶ୍ମୀର, ଝାରଖଣ୍ଡ, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ । ତେବେ କେରଳ ଓ ଗୋଆରେ ଗୋମାଂସ ଖାଇବା ଜାରୀ ରହିବ ବୋଲି ସେ କହିଛନ୍ତି । ଅଲଫୋନ୍ସ କହିଛନ୍ତି ଯେ, କୌଣସି ରାଜ୍ୟରେ ଖାଦ୍ୟ ଖାଇବା ନେଇ କଟକଣା ବା ଖାଦ୍ୟ କୋର୍ଡ ନଥାଏ ।

କିନ୍ତୁ ବିଦେଶୀ ପର୍ଯ୍ୟଟକ ଭାରତକୁ ଆସିବା ପୂର୍ବରୁ ନିଜ ଦେଶରେ ଗୋମାଂସ ଖାଇ ଆସନ୍ତୁ ବୋଲି ସେ କହିଛନ୍ତି । ଉଭୟ କେରଳ ଓ ଗୋଆ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ଥିବା ବେଳେ ଏନେଇ ଗଣମାଧ୍ୟମ ପ୍ରତିନିଧୀମାନେ ପ୍ରଶ୍ନ କରିଥିଲେ । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ନିଜକୁ ଖାଦ୍ୟମନ୍ତ୍ରୀ ନୁହେଁ ପର୍ଯ୍ୟଟନ ମନ୍ତ୍ରୀ କହି ଅତି ଚତୁରତାର ସହ ଏଡେଇ ଯାଇଛନ୍ତି । ତେବେ ଜଣେ ମନ୍ତ୍ରୀ ଦୁଇ ଦୁଇଟି କଥା କହିବାକୁ ଅନେକ ସମାଲୋଚନା କରିଛନ୍ତି ।