ଓମିକ୍ରନ : ୧୦ଟି ରାଜ୍ୟକୁ ଯିବ କେନ୍ଦ୍ରୀୟ ଟିମ୍, ସଂକ୍ରମଣ ବ୍ୟାପିବା ପଛର କାରଣ ଖୋଜିବ ।

132

କନକ ବ୍ୟୁରୋ : ବିଶ୍ୱବ୍ୟାପୀ ଓମିକ୍ରନ ଭୁତାଣୁର ସଂକ୍ରମଣ ବ୍ୟାପିବାକୁ ଲାଗିଛି । ଭାରତରେ ଏହା ତୃତୀୟ ଲହର ଆଣିପାରେ ବୋଲି ଆଶଙ୍କା କରି ଅଧିକ ସତର୍କତା ଅବଲମ୍ବନ କରୁଛନ୍ତି ସରକାର । ଓମିକ୍ରନ ସଂକ୍ରମଣ ବ୍ୟାପୁଥିବା ଓ ଟିକାକରଣ କମ୍ ରହିଥିବା ରାଜ୍ୟ ଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରହିଛି । ଏଭଳି ୧୦ଟି ରାଜ୍ୟକୁ ଚିହ୍ନଟ କରାଯାଇଥିବା ବେଳେ ବହୁମୁଖୀ କେନ୍ଦ୍ରୀୟ ଟିମ୍ ପଠାଇବାକୁ ଯୋଜନା ରହିଛି । ଏସବୁ ରାଜ୍ୟରେ କାହିଁକି ଓମିକ୍ରନ ସଂକ୍ରମଣ ବ୍ୟାପୁଛି ଓ ଟିକାକରଣର ଗତି ଧିମା ରହିଛି ସେନେଇ ଅନୁଧ୍ୟାନ କରିବ ଏହି କେନ୍ଦ୍ରୀୟ ଟିମ୍ ।

କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ମିଜୋରାମ୍, କର୍ଣ୍ଣାଟକ, ବିହାର, ଉତରପ୍ରଦେଶ, ଝାରଖଣ୍ଡ ଓ ପଂଜାବ ଗସ୍ତ କରିବ ଏହି ଟିମ୍ । ୩ରୁ ୫ ଦିନ ରହି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସହ ସ୍ଥିତିର ସମୀକ୍ଷା କରିବ । ଏସବୁ ଭିତରେ ଦେଶରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ୧୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ ମୋଟ ୪୧୫ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛି । ତେବେ ଏମାନଙ୍କ ମଧ୍ୟରୁ ୧୧୫ଜଣ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ମହାରାଷ୍ଟ୍ରରୁ ସର୍ବାଧିକ ୧୦୮ ଜଣ ଚିହ୍ନଟ ହୋଇଥିବା ବେଳେ ୪୨ଜଣ ସୁସ୍ଥ ହେଲେଣି । ସେହିପରି ଦିଲ୍ଲୀରେ ୭୯ ଓମିକ୍ରନ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨୩ଜଣ ସୁସ୍ଥ ହୋଇଛନ୍ତି, ଗୁଜରାଟରେ ୪୩, ତେଲଙ୍ଗାନାରୁ ୩୮, କେରଳରୁ ୩୭, ତାମିଲନାଡୁରୁ ୩୪, କର୍ଣ୍ଣାଟକରୁ ୩୧ ଓ ରାଜସ୍ଥାନରୁ ୨୨ଜଣ ଓମିକ୍ରନ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ହରିୟାଣା, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରୁ ୪ଜଣ ଲେଖାଏଁ ଓମିକ୍ରନ ପଜିଟିଭଙ୍କୁ ଚିହ୍ନଟ କରାଯାଇଛି । ଜମ୍ମୁ ଓ ପଶ୍ଚିମବଙ୍ଗରୁ ୩ ଜଣ ଲେଖାଏଁ, ଉତ୍ତରପ୍ରଦେଶରୁ ୨ ଜଣ ଓ ଚଣ୍ଡିଗଡ, ଲଦାଖ ଓ ଉତ୍ତରାଖଣ୍ଡରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।