କରୋନାରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାରକୁ ମିଳିବ ସରକାରୀ ସହାୟତା । ନୀତି ଓ ପରିମାଣ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

260

କନକ ବ୍ୟୁରୋ : ସୁପ୍ରିମକୋର୍ଟ ଭାରତ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଲୋକଙ୍କର ପରିବାର ଲୋକଙ୍କୁ ସହାୟତା ରାଶି ଯୋଗାଇ ଦେବା ନେଇ ନୀତି ନିଦ୍ଧାରଣ କରାଯାଉ । ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି କି, କୋର୍ଟଙ୍କ ତରଫରୁ ସହାୟତା ରାଶି ନିର୍ଦ୍ଧାରଣ କରି ପାରିବେ ନାହିଁ    । ସରକାର ପୀଡିତ ପରିବାରକୁ ସହାୟତା ଦେବା ନେଇ ନିଷ୍ପତ୍ତି କରିପାରିବେ । କୋର୍ଟ କହିଛନ୍ତି କି, ସରକାର ତାଙ୍କ ଆର୍ଥିକ କ୍ଷମତା ଅନୁସାରେ ସହାୟତା ରାଶି ଘୋଷଣା କରିପାରିବେ । ନିୟମ ଓ ଆର୍ଥିକ କ୍ଷମତା ମୁତାବକ ନ୍ୟାସନାଲ ଡିଜାଷ୍ଟାର ମ୍ୟାନେଜମେଣ୍ଟ ଅଥରେଟି ସହାୟତା ରାଶି ଓ ନୀତି ନିଦ୍ଧାରଣ କରିପାରିବେ । ଏନେଇ ସରକାରଙ୍କୁ କୋର୍ଟ ତରଫରୁ ୬ ସପ୍ତାହ ସମୟ ଦିଆଯାଇଛି ।

କହିରଖୁ ଏନେଇ କୋର୍ଟରେ ଆବେଦନ କରିଥିବା ଯାଚିକା କର୍ତ୍ତା କରୋନା ସଂକ୍ରମଣରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ଦାବି କରିଥିଲେ । କୋର୍ଟ ତରଫରୁ ଏଭଳି ଦାବିକୁ ନାକଚ୍ କରାଯାଇଥିଲା । କେନ୍ଦ୍ର ସରକାର କୋର୍ଟଙ୍କୁ ଜଣାଇଥିଲେ କି ଏତେ ପରିମାଣର ସହାୟତା ରାଶି ଦେବା ସରକାରଙ୍କ ପକ୍ଷେ ସମ୍ଭବ ନୁହେଁ । କୋଭିଡ ପରିଚାଳନାକୁ ନେଇ ସରକାର ଆର୍ଥିକ ଚାପରେ ଥିବାରୁ ଏତେ ପରିମାଣର ରାଶି ଦେବାକୁ ସରକାର ଅକ୍ଷମ ବୋଲି କୋର୍ଟଙ୍କୁ ଜଣାଇଥିଲେ ।

ଏଭଳି ଏକ ଆବେଦନର ଶୁଣାଣି କରି କୋର୍ଟ କହିଥିଲେ କି କରୋନା ସଂକ୍ରମଣ ଜନିତ ମୃତକଙ୍କ କ୍ଷେତ୍ରରେ ଯେଉଁ ମୃତ୍ୟୁ ପ୍ରମାଣପତ୍ର ଦିଆଯାଉଛି ତାହା ଉପରେ ନୀତି ନିର୍ଦ୍ଧାରଣ କରାଯାଉ । ଏହାସହ ନ୍ୟାସନାଲ ଡିଜାଷ୍ଟାର ମ୍ୟାନେଜମେଣ୍ଟ ତା’ର କର୍ତ୍ତବ୍ୟ ପାଳନ କରିବାରେ ବିଫଳ ହୋଇଛି ବୋଲି କୋର୍ଟ କହିଥିଲେ ।

ଏହାକୁ ନେଇ କେନ୍ଦ୍ର ସରକାର କହିଥିଲେ କି କରୋନା ସଂକ୍ରମଣରେ ମୃତକଙ୍କ ପରିବାରକୁ ସହାୟତା ରାଶି ଦେବାରେ କିଛି ଅସୁବିଧା ନାହିଁ । ହେଲେ ରାଷ୍ଟ୍ରର ସଂସାଧନକୁ ତର୍ଳସଂଗତ, ବିବେକପୂର୍ଣ୍ଣ ଓ ସର୍ବୋତମ ଉପଯୋଗ କରାଯିବାକୁ ଥିବାରୁ କରୋନା ସଂକ୍ରମଣରେ ମୃତକଙ୍କ ପରିବାରକୁ ଏତେ ପରିମାଣର ସହାୟତା ରାଶି ଯୋଗାଇ ଦେବା ସମ୍ଭବ ନୁହେଁ   ।