ସିମେଂଟ ୱାର୍କସପ ଯୋଗାଉଛି ରୋଜଗାର: ଧର୍ମଶାଳା ବ୍ଲକ ଗଙ୍ଗାଧରପୁର ଗାଁର ଗୋଲକ ଚନ୍ଦ୍ରଙ୍କୁ ନେଇ ଚର୍ଚ୍ଚା

72

କନକ ବ୍ୟୁରୋ: ବିଭିନ୍ନ ବ୍ୟବସାୟରେ ଫେଲ ମାରିବା ପରେ ତିନିବର୍ଷ ଧରି ଚଳାଉଛନ୍ତି ନିଜର ଏକ ସିମେଂଟ ୱାର୍କସପ । ଯାହାକି ତାଙ୍କୁ ରୋଜଗାର ଦେବା ସହ କରିଛି ସ୍ୱାବଲମ୍ବୀ । ନିଜେ ରୋଜଗାର କରି ଚଳିବା ସହ ପାଖାପାଖି ୧୫ଜଣଙ୍କୁ ତିନିବର୍ଷହେବ ଦେଇଆସୁଛନ୍ତି ରୋଜଗାର । ଆମେ କହୁଛୁ ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ ଗଙ୍ଗାଧରପୁର ଗାଁର ଗୋଲକ ଚନ୍ଦ୍ର ମହାନ୍ତିଙ୍କ ବ୍ୟବସାୟିକ ସଫଳତାର କଥା । ଦେଖନ୍ତୁ ଏହି ରିପୋଟ ।

ଏହି ଯୁବକ ଜଣକ ହେଉଛନ୍ତି ଧର୍ମଶାଳା ବ୍ଲକ ଗଙ୍ଗାଧରପୁର ଗାଁର ଗୋଲକ ଚନ୍ଦ୍ର ମହାନ୍ତି । ମାଟ୍ରିକ ପାଠପଢା ପରେ ସେ ବିଭିନ୍ନ ଛୋଟମୋଟ ବ୍ୟବସାୟରେ ଅର୍ଥବିନିଯୋଗ କରିଥିଲେ, ହେଲେ ସଫଳତା ପାଇପାରି ନଥିଲେ । ମାତ୍ର ସେ ହତାଶ ନହୋଇ ନିଜ ଘର ପାଖରେ ତିନିବର୍ଷ ତଳେ ୧୫ଲକ୍ଷ ଟଙ୍କାରେ ଆରମ୍ଭ କରିଥିଲେ ସିମେଂଟର ୱାର୍କସପ ଟିଏ । ନିଜର ନିଷ୍ଠା ଓ ଉଦ୍ୟମ ବଳରେ ସେ ଏହି ବ୍ୟବସାୟରେ ସଫଳ ହେବା ସହ ତାଙ୍କର ଏହି ୱାର୍କସପ ଏବେ ପାଖାପାଖି ପଚାଶ ଲକ୍ଷରେ ପହଂଚିଛି । ସେ ବାର୍ଷିକ ୮ରୁ ୧୦ଲକ୍ଷଟଙ୍କା ଲାଭ କରୁଥିବା ବେଳେ ନିଜର ଏହି ଫାର୍ମରେ ୧୦ରୁ ୧୫ଜଣଙ୍କୁ ନିଯୁକ୍ତିିର ସୁଯୋଗ ସୃଷ୍ଟି କରିପାରିଛନ୍ତି ।

ଗୋଲକଙ୍କ ଏହି ସିମେଂଟ ୱାର୍କସପରେ ବିଭିନ୍ନ ପ୍ରକାରର ଘରକରଣା ସିମେଂଟ ତିଆରି ସାମଗ୍ରୀ ତିଆରି ହେଉଥିବା ବେଳେ ଏହାର ଚାହିଦା ମଧ୍ୟ ବଢିଛି । ଏଠାରେ ବାଲି ,ସିମେଂଟ ଓ ଲୁହାରଡକୁ ବ୍ୟବହାର କରାଯାଇ ଛାଂଚରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ହୋଇଥାଏ । ଏଠାରୁ ପ୍ରସ୍ତୁତ ହେଉଥିବା ଚଉଁରା ,ଫୁଲକୁଣ୍ଡ, କବାଟ ଲାଗିବା ପାଇଁ ବନ୍ଧ, ଝରକା,ନନ୍ଦ,ସ୍କାଇଲାଇଟ, ପାଚେରୀ ପାଇଁ ଆକର୍ଷଣୀୟ ସିମେଂଟ ୱାଲ ଗୁଡିକ ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଯାଜପୁର ରୋଡ, କେନ୍ଦ୍ରାପଡା ଇତ୍ୟାଦି ଜିଲ୍ଳାକୁ ଯାଇଥାଏ ।

ଅନ୍ୟପଟରେ ସମ୍ପୂର୍ଣ ଗ୍ରାମାଂଚଳରେ ଏହି ସାମଗ୍ରୀ ହାତପାଆନ୍ତାରେ ଉପଲବ୍ଧ ହେଉଥିବାରୁ ବ୍ୟବସାୟରେ ବେଶ୍ ଅଭିବୃଦ୍ଧି ହୋଇଛି । ବ୍ୟବସାୟିକ ବିଫଳତାରୁ ଏବେ ସଫଳତାର ସ୍ୱାଦ ଚାଖୁଥିବା ଗୋଲକଙ୍କ ଏହି ଉଦ୍ୟମ ନିଶ୍ଚିତ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ।