ସହର ଜଗିଛି ସିସିଟିଭି : ଅପରାଧ ମୁକ୍ତ ହେବ ଅନୁଗୁଳ ସହର, ୮ଟି ମୁଖ୍ୟ ଛକ ଉପରେ ନଜର ରଖିଛି ୩୮ ସିସିଟିଭି କ୍ୟାମେରା

92

କନକ ବ୍ୟୁରୋ : ଦିନକୁ ଦିନ ବଢୁଛି ଅପରାଧ । ଅପରାଧୀ ସଂଖ୍ୟା ବି ବଢି ବଢି ଚାଲିଛି । ହେଲେ ଅପରାଧୀଙ୍କୁ ଚକମା ଦେବା ପାଇଁ ପୁଲିସ ବି କିଛି କମ ପଦକ୍ଷେପ ନେଉ ନାହଁ । ଅନୁଗୁଳ ସହରକୁ ଅପରାଧ ମୁକ୍ତ କରିବା ପାଇଁ ସିସିଟିଭିର ସାହାରା ନେଇଛି ଅନୁଗୁଳ ପୋଲିସ । ସେପଟେ ପୋଲିସର ଏହି ପଦକ୍ଷେପକୁ ସହରବାସୀ ସ୍ୱାଗତ ଜଣାଇଛନ୍ତି ।

ଅନୁଗୁଳ ସହରର ଗଳି କନ୍ଦିରେ ଯାହା ଘଟୁଛି ସବୁ ଉପରେ ରହିଛି ସିସିଟିଭିର ନଜର । ସାରା ସହର ସିସିଟିଭି ନିଜରରେ ବନ୍ଦି । ଅନୁଗୁଳକୁ ଅପରାଧ ମୁକ୍ତ କରିବା ପାଇଁ ଦୃଢ ମନା ହୋଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର । ଅପରାଧ ଆଉ ଅପରାଧୀ ଏବଂ ଟ୍ରାଫିକ୍ ନୟନ୍ତ୍ରଣ ଉପରେ ନଜର ରଖିବା ପାଇଁ ପରୀକ୍ଷା ମୂଳକ ଭାବେ ସହରର ୮ଟି ଛକରେ ଲାଗିଛି ୩୮ଟି ସିସିଟିଭି କ୍ୟାମେରା । ଯାହାର ୨୪ ଘଂଟିଆ କଂଟ୍ରଲ ରୁମ୍ ରହିଛି ଜିଲ୍ଲା ପୁଲିସ ମୁଖ୍ୟାଳୟରେ । ସହରରେ ଘଟୁଥିବା ଘଟଣା, ଦୁର୍ଘଟଣା, ଟ୍ରାଫିକ୍ ନିୟନ୍ତ୍ରଣ ଓ ସହରର ବୁଲୁଥିବା ପିସିଆର ଭ୍ୟାନ ସହ ଯୋଗାଯୋଗରେ ରହିବ ଏହିଂ କଂଟ୍ରୋଲ ରୁମ୍ ।

ପ୍ରାଥମିକ ପର୍ଯ୍ୟାୟରେ ସହର ମୁଖ୍ୟ ଛକରେ ସିସିଟିଭି ଲାଗିଛି । ପରବର୍ତ୍ତୀ ସମୟରେ ତାଳଚେର ସହର ଏବଂ ଏମସିଏଲ ଅଂଚଳରେ ଲାଗିବ । ଏହାସହ ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ, ବ୍ୟାଙ୍କ ଏବଂ ଆବାସିକ କୋଠାରେ ଲାଗିଥିବା ସିସିଟିଭିକୁ ଜିଲ୍ଲା ପୁଲିସ କଂଟ୍ରୋଲ ରୁମ୍ ସହ ଯୋଡା ଯିବ । ଅନୁଗୁଳ ଓ ତାଳଚେରକୁ ମିଶାଇ ଟ୍ୱିନ୍ ସିଟି ସୁରକ୍ଷା ବ୍ୟବସ୍ଥା ଯୋଜନା ହୋଇଛି । ଏଥିପାଇଁ ୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତେବେ ଏବେ ପ୍ରଶ୍ନ ଉଠୁଛି, ଅନେକ ସମୟରେ ଟ୍ରାଫିକ୍ ସିଗ୍ନାଲ ଠପ୍ ହୋଇଯିବା ଭଳି ସିସିଟିଭି କ୍ଷେତ୍ରରେ ହେବ ନାହିଁ ତ? ସିସିଟିଭି କିଣିବା ଆଗରୁ ସଠିକ୍ ଭାବେ ସେଗୁଡିକର ମାନ ଯାଂଚ କରାଯାଇଛି ତ? ଆଶା କରାଯାଉଛି ଏସପିଙ୍କ ନିର୍ଦ୍ଦେଶ କ୍ରମେ ହେଉଥିବା ସୁରକ୍ଷା ବ୍ୟବସ୍ଥାର ସଠିକ୍ ଯାଂଚ କରାଯଇଛି ।