ସମସ୍ତ ସ୍କୁଲ୍ କର୍ମଚାରୀଙ୍କର ମାନସିକ ଅବସ୍ଥାର ପରୀକ୍ଷା ହେବ ! ସିବିଏସଇର ନିର୍ଦ୍ଦେଶ

41

କନକ ବ୍ୟୁରୋ : ଗୁରୁଗ୍ରାମସ୍ଥିତ ରିୟାନ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲରେ ଜଣେ ଛାତ୍ରଙ୍କୁ ହତ୍ୟା କରାଯିବାର ୫ ଦିନ ପରେ ବୁଧବାର ଦିନ ସିବିଏସଇ ନୀରବତା ଭଙ୍ଗ କରି ଘୋଷଣା କରିଛି, ସ୍କୁଲ୍‌ ପରିସରରେ ଛାତ୍ରଛାତ୍ରୀ ମାନଙ୍କର ସୁରକ୍ଷା ଦାୟିତ୍ୱ ସମ୍ପୂର୍ଣ୍ଣ ରୂପେ ସ୍କୁଲ୍‌ କର୍ତ୍ତୃପକ୍ଷମାନଙ୍କର । ଗୁରୁଗ୍ରାମ ସ୍କୁଲ୍‌ ହତ୍ୟାକାଣ୍ଡ ପରେ ସୁପ୍ରିମ୍‌ କୋର୍ଟଙ୍କ ଅନୁସନ୍ଧାନର ଉତ୍ତରରେ ସିବିଏସ୍‌ଇ ଏକଥା କହିଛି । ବୁଧବାର ଦିନ ବୋର୍ଡ ‘ଛାତ୍ରଛାତ୍ରୀମାନଙ୍କର ସୁରକ୍ଷା’ ସଂକ୍ରାନ୍ତ ଏକ ସର୍କ୍ୟୁଲାର୍‌ ସମସ୍ତ ଅନୁବନ୍ଧିତ ସ୍କୁଲ୍‌କୁ ପଠାଇଛି ।

ଦୁଇ ମାସ ମଧ୍ୟରେ ଶିକ୍ଷକ, ଅଣ-ଶିକ୍ଷଣ କର୍ମଚାରୀ, ଝାଡୁଦାର, ବସ୍‌ ଚାଳକ ଏବଂ କଣ୍ଡକ୍ଟର୍‌ଙ୍କ ସମେତ ସମସ୍ତ କର୍ମଚାରୀଙ୍କ ସାଇକୋମେଟ୍ରିକ୍‌ ଟେଷ୍ଟ୍‍ (ମାନସିକ ଅବସ୍ଥାର ପରୀକ୍ଷା) ସମାପନ କରିବାକୁ ଏହି ସର୍କ୍ୟୁଲାର୍‌ରେ ଆଦେଶ ଦିଆଯାଇଛି । ତା’ଛଡ଼ା ସ୍କୁଲ୍‌ ପରିସରସ୍ଥ ବିପଦ ଶଙ୍କୁଳ ସ୍ଥାନ ଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଇବାକୁ ମଧ୍ୟ ଏଥିରେ ପ୍ରସ୍ଥାବ ଦିଆଯାଇଛି ।

ସ୍କୁଲ୍‌ରେ ନିଯୁକ୍ତି ଦିଆଯାଉଥିବା ସମସ୍ତ ସହାୟକ କର୍ମଚାରୀମାନେ କ୍ଷମତାପ୍ରାପ୍ତ ଏଜେନ୍‌ସିଙ୍କଠାରୁ ଆଣିବା ସହ ସେମାନଙ୍କୁ ଶିଶୁମାନଙ୍କର ନିରାପତ୍ତା ସମ୍ବନ୍ଧରେ ତାଲିମ୍‌ ଦିଆଯାଉ । ସ୍କୁଲ୍‌ ମଧ୍ୟକୁ ବାହାର ଲୋକଙ୍କ ପ୍ରବେଶ ଉପରେ ନିୟନ୍ତ୍ରଣ ରଖାଯାଉ । ସ୍କୁଲ୍‌କୁ ଆସୁଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କ ଉପରେ ତୀବ୍ର ଦୃଷ୍ଟି ରଖାଯାଉ ବୋଲି ଏହି ନିର୍ଦେଶାବଳୀରେ ଉଲ୍ଲେଖ ରହିଛି ।