କେନ୍ଦ୍ର ବିରୋଧରେ ମମତାଙ୍କ ଯୁଦ୍ଧଂଦେହି ଡାକରା ! ଧାରଣାରେ ବସିଛନ୍ତି ମମତା, ସେପଟେ ଦିଦିଙ୍କ ସମର୍ଥନରେ ମୋଦି ବିରୋଧୀ ।

223

କନକ ବ୍ୟୁରୋ : କେନ୍ଦ୍ର ବିରୋଧରେ ମମତାଙ୍କ ଯୁଦ୍ଧଂଦେହି ଡାକରା । ସିବିଆଇ ଜେରା ଉଦ୍ୟମ ଘଟଣାର ପ୍ରତିବାଦରେ ଧାରଣାରେ ବସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ  । କାଲକାତାର ମେଟ୍ରୋ ରେଳ ଷ୍ଟେସନ ଆଗରେ ଟିଏମସିର ନେତା ଓ କର୍ମୀଙ୍କ ସହ ଧାରଣାରେ ବସିଛନ୍ତି ଦିଦି । ଚିଟଫଣ୍ଡ ମାମଲାରେ ପୁଲିସ୍ କମିଶନରଙ୍କୁ ଜେରା କରିବା ପାଇଁ ତାଙ୍କ ବାସଭବନରେ ସିବିଆଇ ଅଧିକାରୀ ପହଂଚିବା ପରେ ଆରମ୍ଭ ହୋଇଥିଲା ମୁହାଁମୁହିଁ ପରିସ୍ଥିତି । ରାଜୀବ କୁମାରଙ୍କ ବାସଭବନରେ ସିବିଆଇ ଟିମ୍ ପହଂଚିଥିବା ବେଳେ ତାଙ୍କୁ ଅଟକାଇଥିଲା କୋଲକାତା ପୋଲିସ । ସିବିଆଇ ଅଧିକାରୀଙ୍କ ପାଖରୁ କୋର୍ଟଙ୍କ ନିର୍ଦ୍ଦେଶ ମାଗିଥିଲା କୋଲକାତା ପୋଲିସ । ଫଳରେ ସେମାନେ ରାଜୀବ କୁମାରଙ୍କ ଘର ଭିତରେ ପ୍ରବେଶ କରି ପାରି ନଥିଲେ । ପରେ ସିବିଆଇର ୫ଜଣ ଅଧିକାରୀଙ୍କୁ କୋଲକାତା ପୋଲିସ ଗିରଫ କରିଥିଲା । ସ୍ଥିତି ଏମିତି ହେଲା ଯେ, ପୁଲିସକୁ ଅଟକାଇବା ପାଇଁ ସିଆରପିଏଫ୍ ଯବାନମାନେ ଘଟଣା ସ୍ଥଳରେ ପହଂଚିଥିଲେ ।

ଗୋଟିଏ ପରେ ଜେରା ପାଇଁ ରାଜୀବ କୁମାରଙ୍କ ବାସଭବ ଆଗରେ ସିବିଆଇ-ପଶ୍ଚିମବଙ୍ଗ ପୁଲିସ୍ ଧସ୍ତାଧସ୍ତି ଭଳି ସ୍ଥିତି ହୋଇଥିଲା । ଅନ୍ୟପଟେ କୋଲକତାର ସିବିଆଇ କାର୍ଯ୍ୟାଳୟକୁ କବଜା କରି ନେଇଥିଲା ପଶ୍ଚିମବଙ୍ଗ ପୁଲିସ । ତେବେ ସିଆରପିଏଫ୍ ଯବାନମାନେ ଆସିବା ପରେ ଗିରଫ ୫ଜଣ ସିବିଆଇ ଅଧିକାରୀଙ୍କୁ ମୁକ୍ତ କରାଯାଇଥିଲା । ଏମିତି କି ସିବିଆଇ କାର୍ଯ୍ୟାଳୟ ଆଗରୁ ପୁଲିସକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣା ପରେ ସାମ୍ବାଦିକ ସମ୍ମିଳନୀ କରି ମୋଦି ସରକାର ସିବିଆଇ ଉପରେ ଚାପ ପକାଉଛନ୍ତି ଏବଂ ତାଙ୍କୁ ନେଇ ସାରା ଦେଶ ବିଚଳିତ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କେନ୍ଦ୍ର ବିରୋଧରେ କଡା ଭାଷାରେ ବର୍ଷିଛନ୍ତି ମମତା । ମମତା କହିଛନ୍ତି, ବିଜେପିର ଏକ୍ସପାଏରୀ ଡେଟ୍ ନିକଟ ହୋଇଯାଇଛି । ଦେଶରେ ଜରୁରୀକାଳୀନ ସ୍ଥିତି ଠାରୁ ବର୍ତମାନର ସ୍ଥିତି ସଂଗୀନ ହୋଇପଡିଥିବା ପ୍ରେସମିଟ୍ କରି କହିଛନ୍ତି ମମତା ବାନୀର୍ଜୀ ।

ଗୋଟିଏ ପଟେ ସିବିଆଇର କାର୍ଯ୍ୟାନୁଷ୍ଠାନ ବିରୋଧରେ ମମତା ବାନାର୍ଜୀ ଧାରଣାକୁ ଓହ୍ଲାଇଥିବା ବେଳେ ଆଉ ଗୋଟିଏ ପଟେ ମମତାଙ୍କ ସମର୍ଥନରେ ବାହାରି ଆସୁଛନ୍ତି ଜଣେ ପରେ ଜଣେ ମୋଦି ବିରୋଧୀ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି ଲେଖିଛନ୍ତି, ମୋଦି-ଶାହାଙ୍କ କାର୍ଯ୍ୟକଳାପ ସଂପୂର୍ଣ୍ଣ ଗଣତନ୍ତ୍ର ବିରୋଧୀ । ମୋଦି ଦେଶର ଗଣତନ୍ତ୍ର ଏବଂ ସଂଘୀୟ ବ୍ୟବସ୍ଥା ପ୍ରତି ଉପହାସ କରିଛନ୍ତି । ପଶ୍ଚିମବଙ୍ଗରେ ସିବିଆଇର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିବା ସହ ମୋଦି ଏବଂ ଶାହା ଗଣତନ୍ତ୍ର ପ୍ରତି ବିପଦ ବୋଲି ଟ୍ୱିଟରେ ଲେଖିଛନ୍ତି ।

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ମଧ୍ୟ ମମତାଙ୍କ ସମର୍ଥନରେ ବାହାରିଛନ୍ତି । ଟ୍ୱିଟ୍ କରି ଲେଖିଛନ୍ତି, ବିଜେପିର ଶୋଷଣକାରୀ ନେତାମାନେ ସିବିଆଇର ଦୂରୁପଯୋଗ କରୁଛନ୍ତି । ମମତାଙ୍କୁ ସମର୍ଥନ କରିବା ସହ ଏଭଳି ପଦକ୍ଷେପର ଜନତା ଉଚିତ ଜବାବ ଦେବେ ବୋଲି ଟ୍ୱିଟରରେ ଲେଖିଛନ୍ତି ଅଖିଳେଶ ଯାଦବ । ସେହିପରି ଲାଲୁ ଯାଦବ ଟ୍ୱିଟରରେ ଲେଖିଛନ୍ତି, ନିର୍ବାଚନ ଜିତିବା ପାଇଁ ବିଜେପି ଦେଶବାସୀଙ୍କୁ ଏକ ଯୁଦ୍ଧ ଆଡକୁ ଠେଲି ଦେଉଛି । ଏହା ଏକଛତ୍ରବାଦର ନଗ୍ନ ନୃତ୍ୟ ବୋଲି ଲାଲୁ ଯାଦବ ତାଙ୍କ ଟ୍ୱିଟରେ ଲେଖିଛନ୍ତି । ବିଜେପିକୁ ସମାଲୋଚନା କରି ଲେଖିଛନ୍ତି, ଏହା ଗଣତନ୍ତ୍ର ଏବଂ ସମ୍ବିଧାନିକ ସଂସ୍ଥା ଗୁଡ଼ିକ ପ୍ରତି ବିପଦ ସୃଷ୍ଟି କରୁଛି ।