ବାହାନଗା ଟ୍ରେନ୍ ଦୁର୍ଘଟଣା : ଷ୍ଟେସନର ସିଗନାଲ ରୁମରେ ସିବିଆଇ ଟିମ୍, ଖୋଜୁଛି ଦୁର୍ଘଟଣା ପଛର କାରଣ ।

318

କନକ ବ୍ୟୁରୋ : ବାହନଗା ଟ୍ରେନ୍ ଦୁର୍ଘଟଣାସ୍ଥଳରେ ପହଞ୍ଚିଛି  ସିବିଆଇ ଟିମ୍ । ୧୦ରୁ ୧୨ ଜଣ ଅଧିକାରୀ ଦୁର୍ଘଟଣାସ୍ଥଳରେ କରୁଛନ୍ତି ତଦନ୍ତ । ଯାନ୍ତ୍ରିକ ତ୍ରୁଟି ନାଁ ମଣିଷକୃତ ହେରଫେର ଯୋଗୁଁ ଘଟିଲା ଅଘଟଣ ତାହାର ଖୋଳତାଡ଼ କରିବ ସିବିଆଇ ଟିମ୍ । ସିପିଆରଓ ବିଶ୍ୱଜିତ୍ ସାହୁ କହିଛନ୍ତି, ରେଳମନ୍ତ୍ରୀ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ ।  ସିବିଆଇର ସ୍ୱତନ୍ତ୍ର ଟିମ ଏହାର ତଦନ୍ତ କରୁଛି । ନିରପେକ୍ଷ ଭାବେ କିଭଳି ତଦନ୍ତ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ସିବିଆଇ ସ୍ୱତନ୍ତ୍ର ଭାବେ ନିଜ ତଦନ୍ତ ଜାରି ରଖିଛି ।

ଏସବୁ ଭିତରେ ବାହାନଗା ଷ୍ଟେସନର ସିଗନାଲ ରୁମରେ ସିବିଆଇ ଟିମ୍ ତନାଘନା କରିଛି । ଦୁର୍ଘଟଣାସ୍ଥଳରେ ପହଞ୍ଚି ପାରିପାଶ୍ୱିର୍କ ସ୍ଥିତି ମଧ୍ୟ ଦେଖିଛି ଟିମ୍  । ଦୁର୍ଘଟଣାଗ୍ରସ୍ତ ହୋଇଥିବା ବଗି ଗୁଡିକର ମଧ୍ୟ ଯାଞ୍ଚ କରିବ ଟିମ୍ । ସନ୍ଦେହ ଘେରକୁ ଯିଏ ବି ଆସିବ ସିଏ ତଦନ୍ତ ପରିସରଭୁକ୍ତ ହେବ । ତେବେ କେଉଁ ଦିଗକୁ ନେଇ ତଦନ୍ତ ଆଗକୁ ବଢିବ ତାହା ସ୍ପଷ୍ଟ କରିନାହାନ୍ତି ସିପିଆରଓ । ଏହାବାଦ୍ କୌଣସି ରେଳ କର୍ମଚାରୀ ଫେରାର ନଥିବା କଥା ମଧ୍ୟ ସ୍ପଷ୍ଟ କରିଛନ୍ତି ।

କେଉଁ ପରିସ୍ଥିତିରେ ଏପରି ଏକ ବଡ଼ ଦୁର୍ଘଟଣା ଘଟିଲା? ଏହି ଦୁର୍ଘଟଣା ପଛରେ କୌଣସି ଅପରାଧିକ ଷଡଯନ୍ତ୍ର ରହିଛି କି? ସିବିଆଇ ଅଧିକାରୀମାନେ ଏସବୁର ଯାଂଚ କରିବେ । ପ୍ରାଥମିକ ଅନୁସନ୍ଧାନ ପରେ ସିବିଆଇ ମାମଲା ରୁଜୁ କରିବ ବୋଲି ଜଣାପଡ଼ିଛି ।  କିନ୍ତୁ ଏହା ଭିତରେ ପୂର୍ବତଟ ରେଳବାଇ ଡିଆରଏମ ରିଙ୍କେଶ ରୟ ବିସ୍ଫୋରକ ସୂଚନା ଦେଇଛନ୍ତି । କହିଛନ୍ତି, ଡାଟା ଲଗ ଅନୁସାରେ ସିଗ୍ନାଲ ଗ୍ରୀନ ଥିଲା । ଯାନ୍ତ୍ରିକ ଭାବେ ଏଥିରେ ତ୍ରୁଟି ହେବା ସମ୍ଭବ ନୁହେଁ । କେହି ଜାଣିଶୁଣି କ୍ଷତି ପଂହଚାଇ ଥାଇପାରେ । ଟ୍ୟାମ୍ପରିଂ ବିନା ଏଭଳି ଘଟିବା ଅସମ୍ଭବ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସେ କହିଛନ୍ତି, ପ୍ରି ସିଗନାଲ ଠିକ୍ ଥିଲେ ଯାଇ ମେନଲାଇନ୍ ସିଗନାଲ ଗ୍ରୀନ୍ ହୁଏ । ଯଦି କୌଣସି ତ୍ରୁଟି ଥିବ ତେବେ ସିଗନାଲ ଆଦୌ ଗ୍ରୀନ୍ ହେବ ନାହିଁ । ୬ ହଜାର ଟନ୍ ଲୁହାପଥର ଲୋଡ୍ ଥିବା ମାଲବାହୀ ଗାଡିକୁ କରମଣ୍ଡଳ ଧକ୍କା ଦେଇଛି । ଡାଟା ଲଗରେ ସିଗନାଲର ଟିକିନିକି ସୂଚନା ରେକର୍ଡ ହୋଇ ରହିଛି । ଟ୍ରେନକୁ ଗ୍ରୀନ୍ ସିଗନାଲ ମିଳିଥିବା ଡାଟା ରେକର୍ଡ ହୋଇଛି । ତ୍ରୁଟି ଥିଲେ ଆଦୌ ସିଗନାଲ ମିଳିବ ନାହିଁ । ଫିଜିକାଲ ଟ୍ୟାମ୍ପରିଂ ବିନା ଗ୍ରୀନ୍ ସିଗନାଲ ମିଳିବା ବୈଷୟିକ ଦୃଷ୍ଟିରୁ ଅସମ୍ଭବ ।

ଏଭଳି ବୟାନ ଆସିବା ପରେ ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଛି । ଏହା ଯାନ୍ତ୍ରିକ ତ୍ରୁଟି ନା ମନୁଷ୍ୟକୃତ । ଯଦି ମନୁଷ୍ୟକୃତ ତେବେ କିଏ ସେହି ଷଡଯନ୍ତ୍ରକାରୀ? ଏମିତି କରିବା ପଛରେ କଣ ରହିଥାଇପାରେ ଉଦ୍ଦେଶ୍ୟ? ଏତେ ବଡ ଦୁର୍ଘଟଣା ଘଟାଇବାକୁ କେଉଁଠାରୁ ମିଳିଥିଲା କି ନିର୍ଦ୍ଦେଶ? ଏସବୁ ପ୍ରଶ୍ନର ଉତ୍ତର କେବେ ମିଳିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।