ଚିଟଫଣ୍ଡ ଠକେଇ ମାମଲା! କୋଲକାତା ପୋଲିସ କମିସନରଙ୍କୁ ଗିରଫ କରିପାରେ ସିବିଆଇ

170

କନକ ବ୍ୟୁରୋ : ଚିଟଫଣ୍ଡ ମାମଲାରେ କୋଲକାତା ପୋଲିସ କମିସନର ରାଜୀବ କୁମାରଙ୍କୁ ଗିରଫ କରିପାରେ ସିବିଆଇ । ପଶ୍ଚିମବଙ୍ଗ ଚିଟଫଣ୍ଡ ଦୁର୍ନୀତି ମାମଲା ତଦନ୍ତ କରୁଥିବା ସିବିଆଇ ନେଇପାରେ ଏପରି ଏକ ବଡ଼ ପଦକ୍ଷେପ । ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ହେବା ପରେ ପଶ୍ଚିମବଙ୍ଗରେ ହଲଚଲ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ସହଯୋଗୀ ଭାବେ ଏହି ଆଇପିଏସ୍ ଅଧିକାରୀ ଜଣାଶୁଣା । ସେପଟେ ୧୯୮୯ ବ୍ୟାଚ୍ ଆଇପିଏସ୍ ଅଧିକାରୀ ରାଜୀବ କୁମାରଙ୍କର ଗତ ତିନି ହେଲା ପତା ମିଳୁନଥିବା ଜଣାପଡିଛି । ଏପରିକି ଇଲେକସନ୍ କମିସନ୍ ଡାକିଥିବା ବୈଠକରେ ମଧ୍ୟ ରାଜୀବ କୁମାର ଯୋଗ ଦେଇନାହାନ୍ତି ।

ପଶ୍ଚିମବଙ୍ଗ ଚିଟଫଣ୍ଡ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଏସଆଇଟିର ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ରାଜୀବ କୁମାର । ତେବେ ତାଙ୍କ ସମୟରେ ତଦନ୍ତ ପ୍ରକ୍ରିୟା ଧିମେଇ ଯାଇଥିବା ଅଭିଯୋଗ ହୋଇଥିଲା । ଶାରଦା ଓ ରୋଜଭ୍ୟାଲି ଚିଟଫଣ୍ଡ ଠକେଇର ତଦନ୍ତ କରୁଥିଲେ ରାଜୀବ । ତଦନ୍ତରେ ରାଜୀବ କୁମାର ଅନିୟମିତତା କରିଥିବା ସଂଦେହ କରୁଛି ସିବିଆଇ । ତାଙ୍କ ଠାରୁ ତଦନ୍ତ ସଂପର୍କିତ କାଗଜପତ୍ର ଚାହୁଁଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ।

ଏସଆଇଟି ଅଧ୍ୟକ୍ଷ ଭାବେ ଜାମ୍ମୁ କଶ୍ମୀରରୁ ଶାରଦା ଚିଟଫଣ୍ଡ ମୁଖ୍ୟ ସୁଦୀପ୍ତ ସେନ୍ ଓ ତାଙ୍କ ସହଯୋଗୀ ଦେବଯାନୀଙ୍କୁ ଗିରଫ କରିଥିଲେ ରାଜୀବ କୁମାର । ଗିରଫ କରିବା ସମୟରେ ସେମାନଙ୍କ ଠାରୁ ଯେଉଁ ଡାଏରୀ ଜବତ ହୋଇଥିଲା, ତାକୁ ରାଜୀବ କୁମାର ଗାଏବ କରି ଦେଇଥିବା ସଂଦେହ କରୁଛି ସିବିଆଇ ।