ଅମିତ ଶାହାଙ୍କ ଓଡିଶା ଗସ୍ତ ସହ ଫେରିଲା କି ସିବିଆଇ ତଦନ୍ତ ? ସି-ସୋର ଲିଙ୍କ ନେଇ ଅଫିସରଙ୍କୁ ସମନ୍, କାଲି ହାଜର ହେବେ ଦୁଇ ବରିଷ୍ଠ ଅଧିକାରୀ ।

41
କନକ ବ୍ୟୁରୋ : ଏପଟେ ଶାହାଙ୍କ ଗସ୍ତ ସହ ଓଡିଶାକୁ ପୁଣି ଫେରିଛି ସିବିଆଇ ତଦନ୍ତ । କେନ୍ଦ୍ର ସରକାରଙ୍କ ଇସାରାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କାମ କରୁଥିବା ଅଭିଯୋଗ ଭିତରେ ସିବିଆଇ ପୁଣିଥରେ ଓଡିଶାରେ ଛାନଭିନ ଆରମ୍ଭ କରିବାକୁ ରାଜନୈତିକ ଦୃଷ୍ଟିରେ ଦେଖାଯାଉଛି । କାରଣ ପର୍ଯ୍ୟଟନ ବିଭାଗ ସହ ସି-ସୋର ଚୁକ୍ତି ମାମଲାରେ ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ସମନ କରିଛି ସିବିଆଇ । ଆଉ ନିର୍ବାଚନୀ ବର୍ଷରେ ବିଜେଡି ସରକାରଙ୍କ ଉପରେ ଚାପ ପକାଇବାକୁ ଏଭଳି କରାଯାଉଥିବା ବିଜେଡି ଆଶଙ୍କା ପ୍ରକାଶ କରିଛି ।
ସି-ସୋର ଚିଟଫଣ୍ଡ ସଂସ୍ଥା ସହ ରାଜ୍ୟ ପର୍ଯ୍ୟଟନ ବିଭାଗର ଚୁକ୍ତି ପ୍ରସଙ୍ଗରେ ତତକାଳୀନ ଅଧିକାରୀଙ୍କୁ ସିବିଆଇ ସମନ୍ କରିଥିବା ସୂଚନା ମିଳିଛି । ଅନେକ ଦିନର ବ୍ୟବଧାନ ପରେ ଏହି ପ୍ରସଙ୍ଗରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତାର ଛାନଭିନକୁ ଯେଉଁଠାରେ ଛାଡିଥିଲା ପୁଣି ସେହିଠାରୁ ଆରମ୍ଭ କରୁଥିବା ଜଣାପଡିଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ସହ ସି-ସୋର ସଂସ୍ଥା ଦୁଇଟି ପ୍ରକଳ୍ପ କ୍ଷେତ୍ରରେ ଚୁକ୍ତି କରିଥିଲା ।
– କଟକ ମହାନଦୀରେ ନୌକା ବିହାର ପ୍ରକଳ୍ପ
– ଖୋର୍ଦ୍ଧା ଅଟ୍ରିରେ ସରକାରୀ ଗେଷ୍ଟ ହାଉସ ପରିଚାଳନା ଦାୟିତ୍ୱ
ସିସୋର ସହ ବୁଝାମଣା ପୂର୍ବରୁ କମ୍ପାନି ବାବଦରେ ସରକାର ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ କି ନା ସେ ବାବଦରେ ଖୋଳତାଡ କରୁଛି ସିବିଆଇ । ଆଉ ଏହି କ୍ରମରେ ତତକାଳୀନ ପର୍ଯ୍ୟଟନ ସଚିବ ପରାଗ ଗୁପ୍ତା ଓ ସେତେବେଳେ ପର୍ଯ୍ୟଟନ ବିଭାଗର ମହାପ୍ରବନ୍ଧକ ଥିବା ସଂଗ୍ରାମ କେଶରୀ ରାୟଙ୍କୁ ସମନ କରି ଆଗାମୀ ୨ ତାରିଖରେ ହାଜର ହେବାଲାଗି କହିଛି । ଏହି ମାମଲାରେ ସିବିଆଇ ପୂର୍ବରୁ ତତକାଳୀନ ପର୍ଯ୍ୟଟନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ରାଜନୈତିକ ସଚିବ ଦିଲ୍ଲୀପ ମିଶ୍ର ଓ ବିଜେଡି ନେତା ପ୍ରଫୁଲ୍ଲ ସିଂଙ୍କୁ ଡାକି ପଚରାଉଚରା କରିଥିଲା । ଏବେ ପର୍ଯ୍ୟଟନ ବିଭାଗର ସେତେବେଳର ଅଧିକାରୀଙ୍କୁ ସମନ କରିବା ଅର୍ଥ ଅଧାରେ ଥିବା ତଦନ୍ତ ଆଗେଇବ ।
ସୁପ୍ରିମକୋର୍ଟ ସିବିଆଇକୁ ପଞ୍ଜୁରି ଭିତରେ ସାରି କହିବା ପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟଧାରାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଆଉ ନିର୍ବାଚନୀ ବର୍ଷରେ ଅମିତ ଶାହାଙ୍କ ଓଡିଶା ଗସ୍ତ ସମୟରେ ସିବିଆଇ ଅଧାରେ ଛାଡିଥିବା ତଦନ୍ତ ଆଗେଇବାକୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଗସ୍ତ ସହ ସିବିଆଇ ତଦନ୍ତ ପୁଣି ଓଡିଶା ଫେରିବା ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି । ନିର୍ବାଚନ ପୂର୍ବରୁ ସିବିଆଇର ସାହାରା ନେଇ ରାଜ୍ୟ ସରକାରଙ୍କ ଉପରେ ସବାର ହେବାକୁ ବିଜେପି ରଣନୀତି ପ୍ରସ୍ତୁତ କରୁଥିବା ଆକଳନ କରାଯାଉଛି । ଏଥର ରାଜନେତାଙ୍କ ସହ ଅଫିସରଙ୍କୁ କାଠଗଡାକୁ ଟାଣିବା ଲାଗି ସିବିଆଇ ସକ୍ରିୟ ହେଉଥିବା କୁହାଯାଉଛି ।