ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲା । ପୁଣି ଆକ୍ସନ ମୋଡରେ ସିବିଆଇ । କମ୍ପାନୀ ମୁଖ୍ୟ ଗୌତମ କୁଣ୍ଡୁଙ୍କ ସ୍ତ୍ରୀକୁ ଓଡିଶା ଆଣିବା ସିବିଆଇ । ଖୋଲିବ ଗୁପ୍ତ ଧନର ରହସ୍ୟ ।

111

କନକ ବ୍ୟୁରୋ :  ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲା ।  ଘଟଣାରେ ଖୋଳାତାଡ ପାଇଁ ଆଜି ଓଡିଶା ଆସୁଛନ୍ତି  ରୋଜଭ୍ୟାଲି ଗ୍ରୁପର ମୁଖ୍ୟ ଗୌତମ କୁଣ୍ଡଙ୍କ ପତ୍ନୀ ଶୁଭ୍ରାକୁଣ୍ଡୁ ।  ଶୁକ୍ରବାରଦିନ କୋଲକାତାରେ ଗିରଫ ହୋଇଥିଲେ  ଶୁଭ୍ରା କୁଣ୍ଡୁ ।  ଗତକାଲି ତାଙ୍କୁ  ଟ୍ରାଞ୍ଜିଟ ରିମାଣ୍ଡ ପାଇଁ ଅନୁମତି ପାଇଥିଲା ସିବିଆଇ ।  ଆଜି ଭୁବନେଶ୍ୱର ର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର  କରିବ ସିବିଆଇ । ଏହାପରେ ଶୁଭ୍ରାଙ୍କୁ  ପଚରାଉଚରା କରାଯିବ । କୋଲକାତା ଭିଆଇପି ରୋଡରେ ସେ ଏକ ସୁନାଗହଣା ସୋ ରୁମ ଖୋଲିଥିଲେ ।  ଏଥିରେ  ଚିଟଫଣ୍ଡ ଟଙ୍କା ବିନିଯୋଗ ହୋଇଥିବା  ଅଭିଯୋଗ ହୋଇଥିଲା ।  ରୋଜଭ୍ୟାଲି ଗ୍ରୁପ ବିହାର ସମେତ ଓଡିଶା ଓ ପଶ୍ଚିମବଙ୍ଗରେ କାୟା ବିସ୍ତାର କରିଥିଲା । ଓଡିଶାରେ ଏହି କମ୍ପାନୀ ହଜାରେ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି ।

ଏନେଇ ରାଜ୍ୟସରକାର ସ୍ୱତନ୍ତ୍ର ଭାବେ ରୋଜଭ୍ୟାଲି ଚିଟଫଣ୍ଡର ଜମାକାରୀଙ୍କୁ ଚିହ୍ନଟ କରି ଜମା ଟଙ୍କା ଫେରସ୍ତ ପାଇଁ ତିନିବର୍ଷ ତଳେ ସବୁ ତହସିଲଦାରଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏହା ପରେ ତହସିଲଦାର ମାନେ ବି ପ୍ରତି ଗ୍ରାମପଂଚାୟମ ମୁଖ୍ୟାଳୟରେ ବସି ଜମାକାରୀ ମାନଙ୍କୁ ଚିହ୍ନଟ କରିଥିଲେ । ହେଲେ ୩ ବର୍ଷ ପରେ ବି ଜମାକାରୀ ମାନେ ଚାତକ ଭଳି ସେମାନଙ୍କ ଟଙ୍କା ଫେରସ୍ତ ପାଇବାକୁ ଅନେଇ ବସିଥିବା ବେଳେ ସୁଭ୍ରା କୁଣ୍ଡୁଙ୍କ ଠାରୁ କ’ଣ ତଥ୍ୟ ମିଳିବ , ସେ ତଥ୍ୟ ଜମାକାରୀ ଟଙ୍କା ଫେରସ୍ତ ପାଇବାରେ କିଭଳି ସାହାଯ୍ୟ କରିବ ତାହା ଏବେ ବି ଅନ୍ଧକାର ଭିତରେ ।

ନଜର ପକାନ୍ତୁ ରୋଜଭ୍ୟାଲି ଠକେଇ କଣ ଥିଲା ?

-ରୋଜଭ୍ୟାଲି ଅଧିକ ସୁଧ ଦେବା ଲୋଭ ଦେଖାଇ ଅର୍ଥ ହଡପ କରିଥିବା ଅଭିଯୋଗ

-ଜମା ଅର୍ଥରେ ୮ରୁ ୨୭ ପ୍ରତିଶତ ସୁଧ ଦେବା ଲୋଭ

-କମ ଟଙ୍କାରେ ଘର ଓ ଜମି ଦେବାକୁ ପ୍ରତିଶ୍ରୃତି

-୫ ବର୍ଷରେ ୧୫ ହଜାର ୪୮୪ କୋଟି ଠକିଥିବା ଅଭିଯୋଗ

-ଓଡିଶାରେ ହଜାରେରୁ ଅଧିକ କୋଟି ଟଙ୍କାର ଠକେଇ ଅଭିଯୋଗ

-ସିବିଆଇ ଓ ଇଡି ମାମଲାର ତଦନ୍ତ କରୁଛନ୍ତି

-୨୦୧୫ରେ ରୋଜଭ୍ୟାଲି ମୁଖ୍ୟ ଗୌତମ କୁଣ୍ଡୁ ଗିରଫ

-ଅଢେଇ ହଜାରରୁ ଅଧିକ ବ୍ୟାଙ୍କ ଆକାଉଂଟ ସିଜ୍

-ଫିଲ୍ମ ନିର୍ମାଣରେ ବି ରୋଜଭ୍ୟାଲିର ଟଙ୍କା ବିନିଯୋଗ