କରୋନା ସଂକ୍ରମଣ ଦୃଷ୍ଟିରୁ ବେଶ ସାଂଘାତିକ ମାର୍ଚ୍ଚ ତୃତୀୟ ସପ୍ତାହ । ୬୭ ପ୍ରତିଶତ ବଢିଲା ପଜିଟିଭ ମାମଲା ।

81

କନକ ବ୍ୟୁରୋ: ଗତ କିଛିମାସ ହେଲା ନିୟନ୍ତ୍ରଣକୁ ଆସିଥିବା କରୋନା ପୁଣିଥରେ କାୟା ମେଲାଇବା ଆରମ୍ଭ କରିଛି । ଯାହାର ଚିତ୍ର ଗତ ଗୋଟିଏ ସପ୍ତାହରେ ଦେଖିବାକୁ ମିଳିଛି । ବିଶେଷ କରି ମାର୍ଚ୍ଚ ତୃତୀୟ ସପ୍ତାହକୁ କରୋନା ସଂକ୍ରମଣ ଦୃଷ୍ଟିରୁ ସଂକଟର ସମୟ ବୋଲି କୁହାଯାଉଛି । କାରଣ ଗତ ଗୋଟିଏ ସପ୍ତାହରେ ସାରାଦେଶରେ କରୋନା ସଂକ୍ରମଣ ୬୭ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି କରୋନା ଜନିତ ମୃତ୍ୟୁ ମାମଲାରେ ମଧ୍ୟ ୪୧ ପ୍ରତିଶତ ବୃଦ୍ଧି ଆସିଛି । ମାର୍ଚ୍ଚ ୧୫ରୁ ୨୧ ଗତ ଗୋଟିଏ ସପ୍ତାହରେ ସାରା ଦେଶରେ ୨ଲକ୍ଷ ୬୦ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ପୂର୍ବ ସପ୍ତାହରେ ପ୍ରାୟ ଦେଢଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଥିଲେ । ପୂର୍ବ ବର୍ଷ ଜୁଲାଇରେ ଗୋଟିଏ ସପ୍ତାହରେ ସର୍ବାଧିକ ୮୦ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଗତବର୍ଷ ନଭେମ୍ବର ୭ ତାରିଖରେ  ୫୦ହଜାର ୩୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ଗତ ୨୪ଘଂଟାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ସପ୍ତାହରେ ୧ ହଜାର ୨୩୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ରବିବାର ଗୋଟିଏ ଦିନରେ ୪୬ ହଜାର ୯୫୧ ନୂଆ ସଂକ୍ରମିତ ଚିହ୍ନଟ ହେବା ଦେଶର ଚିନ୍ତା ବଢାଇ ଦେଇଛି । ସେହିପରି ୨୪ ଘଂଟାରେ ୨୧୨ ଜଣଙ୍କ ମୃତ୍ୟୁ ହୋଇଛି ।

ଦେଶରେ ବଢୁଥିବା କରୋନା ସଂକ୍ରମଣ ଭିତରେ ସବୁଠୁ ଅଧିକ ଚିନ୍ତାଜନକ ରହିଛି ମହାରାଷ୍ଟ୍ରର ସ୍ଥିତି । କେବଳ ମହାରାଷ୍ଟ୍ରରେ ଗତ ୨୪ଘଂଟାରେ ୩୦ ହଜାର ୫୩୫ ନୂଆ ମାମଲା ସାମ୍ନାକୁ ଆସିଛି । ଏହାପରେ ପଂଜାବରେ ୨ହଜାର ୬୪୪, କେରଳରେ ୧ହଜାର ୮୭୫, କର୍ଣ୍ଣାଟକରେ ୧ହଜାର ୭୧୫ ଓ ଗୁଜରାଟରେ ୧ହାଜର ୫୮୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଉପରେ ଯଦି ନଜର ପକାଇବା ତେବେ ଗତ ୨୪ଘଂଟାରେ ମହାରାଷ୍ଟ୍ରରେ ୯୯, ପଂଜାବରେ ୪୪, କେରଳରେ ୧୩, ଛତିଶଗଡରେ ୧୦ ଓ ତାମିଲନାଡୁରେ ୯ଜଣଙ୍କର ମୃତ୍ୟୁ ହୋଇଛି ।

ଗୋଟିଏ ପଟେ ଦେଶରେ କରୋନା ଟିକାକରଣ କରାଯାଉଥିବା ବେଳେ ଅନ୍ୟପଟେ ବଢୁଥିବା ସଂକ୍ରମଣ ଦେଶରେ ଦ୍ୱିତୀୟ ଲହର ଆଶଙ୍କାକୁ ବଢାଇ ଦେଇଛି । ଫଳରେ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର ।