କୃଷକ ଆନ୍ଦୋଳନକୁ ସମର୍ଥନ କରିବା ପଡିଲା ମହଙ୍ଗା । ହିଂସା ଉଦ୍ରେକକାରୀ ଟ୍ୱିଟ୍ କରିଥିବା ଅଭିଯୋଗରେ ଗ୍ରେଟା ଥନବର୍ଗଙ୍କ ନାମରେ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ

128

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ନୂତନ କୃଷି ଆଇନକୁ ବିରୋଧ କରି ଦେଶର ବିଭିନ୍ନ ସୀମାରେ କୃଷକ ମାନେ ୨ ମାସରୁ ଅଧିକ ସମୟ ହେବ ଧାରଣାରେ ବସିଛନ୍ତି । କୃଷକଙ୍କ ଏଭଳି ଆନ୍ଦୋଳନକୁ ଦେଶ ତଥା ଦେଶ ବାହାରୁ ବହୁ ସେଲିବ୍ରେଟିମାନେ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ସ୍ୱିଡେନ୍ ବାସିନ୍ଦା ତଥା ବିଶିଷ୍ଟ ପରିବେଶବିତ୍ ଗ୍ରେଟା ଥନବର୍ଗ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଏକ ଟ୍ୱିଟ୍ କରିଥିଲେ । ଏହାକୁ ନେଇ ଦିଲ୍ଲୀ ପୋଲିସ ତାଙ୍କ ନାମରେ ମାମଲା ରୁଜୁ କରିଛି । ଏହା ବ୍ୟତିତ ଏନେଇ ଦିଲ୍ଲୀ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀ କରିବ ବୋଲି ସୂଚନା ମିଳିଛି ।
କହିରଖୁ କି ଗ୍ରେଟା ଥନବର୍ଗ ତାଙ୍କ ଟ୍ୱିଟରେ କୃଷକ ଆନ୍ଦୋଳନକୁ ସମର୍ଥନ କରିବା ସହ ଭାରତର ଶାସନ କ୍ଷମତାରେ ଥିବା ବିଜେପି ଉପରେ ପ୍ରଶ୍ନ ଛିଡା କରିଥିଲେ । ସେ ତାଙ୍କ ଟ୍ୱିଟରରେ ଲେଖିଥିଲେ କି ଭାରତ ସରକାରଙ୍କ ଉପରେ କୌଣସି ପ୍ରକାର ଚାପ ପକାଯାଇ ପାରିବ । ଏନେଇ ସେ ତାଙ୍କର କାର୍ଯ୍ୟ ଯୋଜନା ସମ୍ବଦ୍ଧିତ ଏକ ଦସ୍ତାବିଜ୍ ବି ଟ୍ୱିଟରରେ ସେୟାର କରିଥିଲେ । ତାଙ୍କର ଏଭଳି ଟ୍ୱିଟ୍ ଆସିବା ପରେ ଭାରତ ସରକାରଙ୍କ ସମେତ କିଛି ସଂଗଠନ ତାଙ୍କ ଟ୍ୱିଟ୍ କୁ କଡା ଭାଷାରେ ନିନ୍ଦା କରିଥିଲେ ।