ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ବଢିଲା ଅଡୁଆ । ୩ ବର୍ଷ ତଳେ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁକୁ ନେଇ ଥାନାରେ ମାମଲା

279

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଜେପି ବିଧାୟକ ତଥା ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଶୁକ୍ରବାରଦିନ ପଶ୍ଚିମବଙ୍ଗ କଣ୍ଟେଇ ଥାନାରେ ମାମଲା ଦାଖଲ ହୋଇଛି   । ୩ ବର୍ଷ ତଳେ ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁକୁ ନେଇ ଏହି ମାମଲା ଦାଖଲ ହୋଇଛି । ସୂଚନା ମୁତାବକ ୩ ବର୍ଷ ତଳେ ଶୁଭେନ୍ଦୁଙ୍କ ଜଣେ ସୁରକ୍ଷା କର୍ମୀଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ପଶ୍ଚିମବଙ୍ଗ ପୋଲିସରେ ସିପାହୀ ଥିବା ସୁବ୍ରତ ଚକ୍ରବର୍ତ୍ତୀଙ୍କ ସ୍ତ୍ରୀ ସୂପର୍ଣ୍ଣ ଚକ୍ରବର୍ତ୍ତୀ ସ୍ୱାମୀଙ୍କ ସନ୍ଦେହ ଜନକ ମୃତ୍ୟୁକୁ ନେଇ ୩ ବର୍ଷ ପରେ ଭାରତୀୟ ଦଣ୍ଡ ବିଧାନ ଧାରା ୩୦୨ ଓ ୧୨୦ ରେ ପ୍ରାଥମିକ ଅଭିଯୋଗ ଦାଖଲ କରିଛନ୍ତି ।

ଶୁଭେନ୍ଦୁଙ୍କ ସୁରକ୍ଷାଗାର୍ଡ ଭାବେ ନିଯୁକ୍ତ ହୋଇଥିବା ସୁବ୍ରତ ଚକ୍ରବର୍ତ୍ତୀଙ୍କ ୨୦୧୮ ଅକ୍ଟୋବର ୧୩ ତାରିଖରେ ମୃତ୍ୟୁ ହୋଇଥିଲା । ସେ କାନ୍ଥୀ ସ୍ଥିତ ଭଡାଘରେ ନିଜକୁ ଗୁଳିମାରି ହତ୍ୟା କରିଥିବା କୁହାଯାଇଥିଲା । ସେହି ସମୟରେ ଶୁଭେନ୍ଦୁ ଅଧିକାରୀ ଟିଏମସିରେ ଥିଲେ ଓ ମମତା ସରକାରରେ ପରିବହନ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିଲେ । ସୁବ୍ରତଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି କି ଶୁଭେନ୍ଦୁ ତାଙ୍କ ସ୍ୱାମୀଙ୍କୁ ଆତ୍ମହତ୍ୟା ପାଇଁ ଉସକାଇଥିଲେ । ଏନେଇ ଏବେ ସୂପର୍ଣ୍ଣା ଏହି ମାମଲାର ଯାଂଚ ପାଇଁ ଦାବି କରିଛନ୍ତି ।

କହିରଖୁ କି ୨୦୨୧ ମେ ମାସରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିଲେ । ଏହି ନିର୍ବାଚନରେ ନନ୍ଦୀଗ୍ରାମ ଆସନରୁ  ସେ ମମତା ବାନାର୍ଜୀଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ ।