କାୟା ମେଲାଉଛି କରୋନା । ସାଧାରଣ ଲୋକଙ୍କ ପାଇଁ କଠୋର ଗାଇଡଲାଇନ, ବିବାହ ଭୋଜିକୁ ବିନା ମାସ୍କରେ ଯାଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ । 

165

କନକ ବ୍ୟୁରୋ : ଗତବର୍ଷ ଫେବ୍ରୁଆରୀରେ କରୋନା ମହାମାରୀ ସାରା ଦେଶରେ ବ୍ୟାପିବାରେ ଲାଗିଥିଲା । ଯେଉଁଥିପାଇଁ ମାର୍ଚ୍ଚରେ ଲକଡାଉନ୍ ଲାଗୁ କରିବାକୁ ପଡିଥିଲା । ଆଉ ଦୁଇଟି ଟୀକା ଆସିବା ପରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଥିଲା, କିନ୍ତୁ ମହାରାଷ୍ଟ୍ରର ଲୋକଙ୍କ ଅବହେଳା ହେତୁ କରୋନା ମାମଲାରେ ପୁଣି ବୃଦ୍ଧି ଘଟିଛି। ଯାହାକୁ ନେଇ ପୁଲିସ ଓ ସ୍ଥାନୀୟ ପ୍ରଶାସନ ଏବେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି । ତେବେ ବର୍ତ୍ତମାନ ପୂର୍ବତନ ବିଜେପି ସାଂସଦ ଧନଞ୍ଜୟ ମହାଦିକଙ୍କ ପୁଅଙ୍କ ବିବାହରେ କରୋନା ପ୍ରୋଟୋକଲ ଭାଙ୍ଗିବା ମାମଲା ସାମ୍ନାକୁ ଆସିଛି। ଯାହାକୁ ନେଇ ପୁଲିସ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ସୂଚନା ଅନୁଯାୟୀ ପୂର୍ବତନ ସାଂସଦ ଧନଞ୍ଜୟ ମହାଦିକଙ୍କ ପୁଅର ପୁଣେରେ ବିବାହ ଉତ୍ସବ ଆୟୋଜନ ହୋଇଥିଲା । ତେବେ ବହୁ ସଂଖ୍ୟାରେ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିବାବେଳେ ଅଧିକାଂଶ ଅତିଥି ମାସ୍କ ପିନ୍ଧି ନଥିବାର ନଜର ଆସିଥିଲା । ଆଉ କରୋନା ଗାଇଡଲାଇନ ଭାଙ୍ଗିବା ଅଭିଯୋଗରେ ଏବେ ପୁଲିସ ଧନଞ୍ଜୟ ମହାଦିକ, ବିବାହ ଆୟୋଜନ ହୋଇଥିବା ହୋଟେଲ ମାଲିକ ଓ ମ୍ୟାନେଜରଙ୍କ ନାମରେ ମକଦ୍ଦମା ରୁଜୁ କରିଛି ।

ବଡ କଥା ହେଉଛି ଏହି ବିବାହରେ ବହୁ ସଂଖ୍ୟକ ଭିଭିଆଇପି ମଧ୍ୟ ଉପସ୍ଥିତ ଥିଲେ । ଯେଉଁମାନଙ୍କ ମଧ୍ୟରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ଏନସିପି ମୁଖ୍ୟ ଶରଦ ପାୱାର, ଶିବସେନା ନେତା ସଞ୍ଜୟ ରାଉତ ପ୍ରମୁଖ ସାମିଲ ହୋଇଥିଲେ । ଆଉ ବିବାହ ସମାରୋହର କିଛି ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ନେତାମାନଙ୍କୁ ବିନା ମାସ୍କରେ ଦେଖିବାକୁ ମିଳିଛି ।