ଓଡିଆ ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କୁ ଟ୍ରାଏଲ୍ ପାଇଁ ଡାକିଲା ଚେନ୍ନାଇ ସୁପର କିଙ୍ଗସ୍ । ଆଇପିଏଲରେ ସାମିଲ ହୋଇପାରନ୍ତି ଆଉ ଜଣେ ଓଡିଆ ।

1,020

କନକ ବ୍ୟୁରୋ: ଚେନ୍ନାଇ ସୁପର କିଙ୍ଗସରେ ସାମିଲ ହୋଇପାରନ୍ତି ଓଡିଆ ଖେଳାଳି । ବିଜୟ ହଜାରେ ଟ୍ରଫିରେ ଓଡିଶା ଟିମର କ୍ୟାପଟେନ୍ ଥିବା ଶୁଭ୍ରାଂଶୁ ସେନାପତି ସିଏସକେ ଟିମର ସଦସ୍ୟ ହେବାର ସୁଯୋଗ ଆସିଛି । ଦଳ ତାଙ୍କୁ ଆଗାମୀ ଆଇପିଏଲ ପୂର୍ବରୁ ଟ୍ରାଏଲ ପାଇଁ ଡାକିଛି । ଏନେଇ ଓଡିଶା କ୍ରିକେଟ୍ ଆସୋସିଏସନ ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି କରି ସୂଚନା ଦିଆଯାଇଛି ।

ଓସିଏ ପକ୍ଷରୁ କୁହାଯାଇଛି ଯେ, ବିଜୟ ହଜାରେ ଟ୍ରଫିରେ ଦଳର ନେତୃତ୍ୱ ନେଉଥିବା ଶ୍ରୁଭାଂଶୁ ସେନାପତିଙ୍କୁ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର କିଙ୍ଗସ୍ ତରଫରୁ ଡାକରା ମିଳିଛି । ବିଜୟ ହଜାରେ ଟ୍ରଫିରେ ତାଙ୍କର ଦମଦାର ପ୍ରଦର୍ଶନ ଫ୍ରାଞ୍ଚାଇଜକୁ ପସନ୍ଦ ଆସିଛି । ତେଣୁ ଆଗାମୀ ଆଇପିଏଲରେ ଆଉ ଜଣେ ଓଡିଆ ନଜର ଆସିପାରନ୍ତି ବୋଲି ଏବେ କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ବିଜୟ ହଜାରେ ଟ୍ରଫିରେ ଓଡିଶା ଟିମର କ୍ୟାପଟେନ୍ ଅଛନ୍ତି ଶ୍ରୁଭାଂଶୁ ସେନାପତି । ହିମାଚଳ ପ୍ରଦେଶ ବିପକ୍ଷରେ ସେ ୫୭ ବଲରୁ ଧୂଆଁଧାର ୮୧ ରନ୍ କରିଥିଲେ । ସେହିପରି ବିଦର୍ଭ ବିପକ୍ଷରେ ମଧ୍ୟ ଅପରାଜିତ ୭୧ ରନ୍ କରି ସେ ଦଳକୁ ବିଜୟ ଦେଇଥିଲେ । ଖାଲି ସେତିକି ନୁହେଁ,ଆନ୍ଧ୍ର ବିପକ୍ଷରେ ସେ ଶତକ ଅର୍ଜନ କରିବା ସହ ସମସ୍ତଙ୍କ ନଜରକୁ ଆସିଥିଲେ । ଏହାପରେ ଏବେ ତାଙ୍କୁ ଟ୍ରାଏଲ ପାଇଁ ସିଏସକେ ଟିମ୍ ପକ୍ଷରୁ ଡକରା ଆସିଛି ।