‘ଫୋନି’ ପରେ ସୁଧୁରିଲା କ୍ୟାପିଟାଲ ହସ୍ପିଟାଲ ସ୍ଥିତି । ବାତ୍ୟାରେ କ୍ଷତିଗ୍ରସ୍ତ ଏସଏନସିୟୁକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଇଲେ ହସ୍ପିଟାଲ କର୍ତ୍ତୁପକ୍ଷ ।

37

କନକ ବ୍ୟୁରୋ: ନବଜାତ ଶିଶୁଙ୍କ ଚିକିତ୍ସାପାଇଁ ଅତ୍ୟନ୍ତ ଜରୁରୀ ଥିବା କ୍ୟାପିଟାଲ ହସ୍ପିଟାଲର ଏସଏନସିୟୁଟି ବାତ୍ୟାରେ କ୍ଷତିଗ୍ରସ୍ତ ହେବାର ସପ୍ତାହକ ମଧ୍ୟରେ ଡାକକ୍ତରଖାନା କର୍ତ୍ତୁପକ୍ଷ ତାହାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରି ଦେଇଛନ୍ତି । ଶିଶୁ ଚିକିତ୍ସାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ଗତ ତିନି ତାରିଖରେ ବାତ୍ୟା ଫୋନି ସମଗ୍ର ରାଜଧାନୀକୁ ଛାରଖାର କରିଥିବାବେଳେ କ୍ୟାପିଟାଲ ହସ୍ପିଟାଲର ଶିଶୁ ବିଭାଗ ଏସଏନସିୟୁକୁ ମଧ୍ୟ କ୍ଷତି ପହଂଚାଇଥିଲା । ପବନ ମାଡରେ ଏହାର ସିଲିଂ ଗୁଡିକ ଖଣ୍ଡ ଖଣ୍ଡ ହୋଇ ତଳକୁ ଗଳିଥିଲା । ସେତେବେଳ ଏସଏନସିୟୁରେ ୨୨ଜଣ ନବଜାତକ ଥିବାବେଳେ ଡାକ୍ତର, ନର୍ସ ଓ ସହାୟକମାନେ ନିଜ ଜୀବନକୁ ବାଜି ଲଗାଇ ଶିଶୁମାନଙ୍କୁ ଉଦ୍ଧାର କରିଥିଲେ ।

ବାତ୍ୟା ଜନିତ ଏହି ଦୁର୍ଘଟଣା ଓ ଶିଶୁଙ୍କ ଜୀବନ ବଂଚାଇବା କାର‌୍ୟ୍ୟ ପଦାକୁ ଆସିବାପରେ କର୍ତବ୍ୟରତ ଡାକ୍ତର, ନର୍ସ ଓ ସହାୟକମାନଙ୍କ ସାହସ ଓ ସେବା ମନୋଭାବକୁ ସବୁଆଡୁ ପ୍ରଶଂସାର ସୁଅ ଛୁଟିଥିଲା । ତେବେ ଭାଙ୍ଗିରୁଜି ଯାଇଥିବା ଏସଏନସିୟୁକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଥିଲା ଡାକ୍ତରଖାନା କର୍ତ୍ତୁପକ୍ଷଙ୍କ ପାଇଁ ସବୁଠାରୁ ବଡ ଆହ୍ୱାନ ଥିଲା । ଡାକ୍ତରଖାନା ଆଖାପାଖରେ ଲୋକଙ୍କୁ ଘରକୁ ଏବେ ବି ବିଜୁଳି ସଂଯୋଗ ହୋଇପାରିନଥିବାବେଳେ ନିର୍ଦ୍ଦେଶକ ଅଶୋକ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ କିନ୍ତୁ ଏସଏନସିୟୁ ପୁନଃ କାର୍ଯ୍ୟକ୍ଷମ ହୋଇପାରିଛି ।

ସେହିଭଳି ରୋଗୀ ଚିକିତ୍ସା କ୍ଷେତ୍ରରେ ଅନ୍ୟତମ ଜରୁରୀ ଉପକରଣ ଅମ୍ଳଜାନ ପାଇପ୍ ଲାଇନ୍ଟି ବାତ୍ୟାରେ ବ୍ୟାପକ କ୍ଷତ୍ରିଗସ୍ତ ହୋଇଥିବାବେଳେ ତାହାକୁ ବି କର୍ତ୍ତୁପକ୍ଷ ସାତ ଦିନ ମଧ୍ୟରେ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଇ ପାରିଛନ୍ତି । ଗତ ଶୁକ୍ରବାର ଠାରୁ ଜରୁରୀ ଚିକିତ୍ସା ଆବଶ୍ୟକ କରୁଥିବା ଶିଶୁମାନଙ୍କର ଏଠାରେ ଚିକିତ୍ସା ଆରମ୍ଭ କରାଯାଇଛି । ବାତ୍ୟା ସମୟରେ ଡାକ୍ତରଖାନାକୁ ନିରବଚ୍ଛିନ୍ନ ଆଲୋକ ଯୋଗାଇ ପ୍ରଶଂସା ସାଉଁଟିଥିବା କର୍ତ୍ତୁପକ୍ଷଙ୍କର ଏଭଳି ଯୁଦ୍ଧକାଳୀନ ପଦକ୍ଷେପ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ।

Comments are closed.