କନକ ନ୍ୟୁଜ କ୍ୟାମ୍ପେନ : ଖବର ପ୍ରସାରଣ ପରେ କ୍ୟାନସର ରୋଗୀ ଫେରିପାଇଲେ ଚୋରି ହୋଇଥିବା ଟଙ୍କା, ମାଗଣାରେ ମିଳିବ ଚିକିତ୍ସା

178

କନକ ବ୍ୟୁରୋ : କନକ ନ୍ୟୁଜର କ୍ୟାମ୍ପେନ । ପୋଲିସ ଉପରେ ପଡ଼ିଲା ପ୍ରଭାବ । ଆନନ୍ଦ ଗୌଡ଼ । ଇଏ ହେଉଛନ୍ତି ସେହି ବ୍ୟକ୍ତି ଯିଏ ଟଙ୍କା ଲୁଟ୍ ପାଇଁ କାନ୍ଦୁଥିଲେ । କ୍ୟାନସର ରୋଗର ଚିକିତ୍ସା ପାଇଁ ଆଣିଥିବା ୧୫ହଜାର ଟଙ୍କା ହରାଇଥିଲେ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଜଣେ କ୍ୟାନସର ରୋଗୀ ନିଜର ଚୋରି ହୋଇଥିବା ଟଙ୍କା ପାଇବା ସହ କ୍ୟାନସରର ଚିକିତ୍ସା ପାଇବା ପାଇଁ ଯାଉଛନ୍ତି । ଗଞ୍ଜାମରୁ ଭୁବନେଶ୍ୱରକୁ ଆସିଥିବା ଆନନ୍ଦ ଗୌଡ଼ ମୋ ବସରେ ବସି ଡାକ୍ତରଖାନାକୁ ଯାଉଥିବା ବେଳେ ତାଙ୍କ ପକେଟରୁ ୧୫ହଜାର ଟଙ୍କା ଚୋରି ହୋଇଯାଇଥିଲା ।

ଚୋରି ଟଙ୍କା ପୁଣିଥରେ ଫେରିପାଇବା ଅସମ୍ଭବ ବୋଲି ମନେ ହେଉଥିଲା । କିନ୍ତୁ ଖବର ପ୍ରସାରଣ ପରେ ପୋଲିସ ଆନନ୍ଦଙ୍କୁ ଥାନାକୁ ଡାକି ଚୋରଙ୍କ ଠାରୁ ଜବତ କରିଥିବା ଟଙ୍କା ଫେରାଇଛି । ଟଙ୍କା ଫେରିପାଇବା ପରେ ଆନନ୍ଦ ଅତ୍ୟନ୍ତ ଆନନ୍ଦିତ ହୋଇ କନକ ନ୍ୟୁଜକୁ ପ୍ରଶଂସା କରିଛନ୍ତି । ଜଣେ ଗରିବ କ୍ୟାନସର ରୋଗୀ ରାଜଧାନୀ ଆସି କେମିତି ହନ୍ତସନ୍ତ ହୁଏ, ତା’ର ଚିତ୍ର ସାରା ଓଡ଼ିଶା ଦେଖିଥିଲା । କିନ୍ତୁ ଏ ଘଟଣାକୁ ଗୁରୁତ୍ୱପୂର୍ଣ୍ଣ ଭାବି ପ୍ରସାରଣ କରିବା ପରେ ଶେଷରେ ନିଜର ଟଙ୍କା ଫେରିପାଇଛନ୍ତି ଆନନ୍ଦ ଗୌଡ଼ । କେବଳ ସେ ଟଙ୍କା ଫେରିପାଇନାହାନ୍ତି, ମାଗଣାରେ ପାଇବେ କ୍ୟାନସର ଚିକିତ୍ସା । କନକ ନ୍ୟୁଜରେ ଏହି ଖବର ପ୍ରସାରଣ ପରେ ଚିକିତ୍ସା ମାଗଣାରେ ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା ।

ଗତ ୨୧ ତାରିଖ ଦିନ ଭୁବନେଶ୍ୱରରେ ଚାଲୁଥିବା ମୋ ବସରେ ଏକ ଚୋରି ଘଟଣା ସାମନାକୁ ଆସିଥିଲା । ଜଣେ କ୍ୟାନସର ରୋଗୀ ଔଷଧ କିଣିବାକୁ ବରମୁଣ୍ଡା ବସଷ୍ଟାଣ୍ଡରୁ ମୋ ବସରେ ଯାଉଥିବାବେଳେ ବାଣିବିହାର ନିକଟରେ ତାଙ୍କ ପକେଟରୁ ୧୫ହଜାର ଟଙ୍କା ଚୋରି କରି ନେଇଯାଇଥିଲା ଚୋର । ଚୋରିର ଶିକାର ହୋଇଥିବା ଗଞ୍ଜାମ ପୁରୁଷୋତମପୁର ଏନଏସି ଅନ୍ତର୍ଗତ କୁମାରୀର ଆନନ୍ଦ ଗୌଡ ବୋନ କ୍ୟାନସରରେ ପୀଡିତ । କିଛି ଦିନ କିମ୍ସ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଏବେ ପଣ୍ଡା କ୍ୟାନସର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ହସ୍ପିଟାଲ ପକ୍ଷରୁ ମାଗଣାରେ କେମୋ ଦିଆଯାଉଛି । କିନ୍ତୁ ଔଷଧ ବାହାରୁ କିଣି ଖାଇବାକୁ ପଡିଥିଲା । ପ୍ରତି ୧୫ ଦିନରେ ପ୍ରାୟ ୧୨ହଜାର ଟଙ୍କାର ଔଷଧ ଖାଇଛନ୍ତି । ଆଉ ସେହି ଔଷଧ କିଣିବା ପାଇଁ ହସ୍ପିଟାଲକୁ ଯାଉଥିବାବେଳେ ଲୁଟର ଶିକାର ହୋଇଥିଲେ ଆନନ୍ଦ । ଆର୍ଥିକ ସ୍ଥିତି ଭଲ ନଥିବା ଆନନ୍ଦଙ୍କ ଟଙ୍କା ଚୋରି ହୋଇଯିବା ପରେ ସେ ତାଙ୍କ ଲୁହକୁ ରୋକି ପାରିନଥିଲେ । କାନ୍ଦି କାନ୍ଦି କହିଥିଲେ କେମିତି ଟଙ୍କା ଯୋଗାଡ କରି ଔଷଧ କିଣିବାକୁ ଆସିଥିଲେ । ଶେଷରେ ଟଙ୍କା ଚୋରି ନେଇ ଥାନାରେ ଅଭିଯୋଗ କରିବା ପରେ ବିନା ଔଷଧରେ ଘରକୁ ଫେରି ଯାଇଥିଲେ ।