ରେଭେନ୍ସାରେ ନିର୍ବାଚନ ପ୍ରକ୍ରିୟା ପରିବର୍ତ୍ତନକୁ ନେଇ ଏବିଭିପି ପକ୍ଷରୁ ଆମରଣ ଅନଶନ ! ଜଣେ ଅସୁସ୍ଥ, କଟକ ଏସସିବିରେ ଭର୍ତ୍ତି

28

କନକ ବ୍ୟୁରୋ: ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟା ପରିବର୍ତ୍ତନକୁ ଛାତ୍ର ଛାତ୍ରୀଙ୍କ ବିରୋଧ । ଏହାକୁ ନେଇ ଗତକାଲି ଛାତ୍ର କଂଗ୍ରେସ ପକ୍ଷରୁ କୁଳପତିଙ୍କୁ ଭେଟିବା ସହ ଅଖିଳ ଭାରତୀୟ ବିଦ୍ୟାର୍ଥୀ ସଂଘ ପକ୍ଷରୁ ଆମରଣ ଅନଶନ ଜାରି ରହିଛି । ତେବେ ପିଲାମାନଙ୍କ ଦାବୀ ସତ୍ୱେ ନିଜ ଜିଦରେ ଅଟଳ ରହିଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ ।

ନିର୍ବାଚନ ପ୍ରକ୍ରିୟା ପରିବର୍ତ୍ତନ ନେଇ ଗତକାଲି କୁଳପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ, ବିଶ୍ୱବିଦ୍ୟାଳୟରେ ପ୍ରେସିଡିୟମ ବ୍ୟବସ୍ଥା ରହିବ ବୋଲି କୁଳପତି ସୂଚନା ଦେଇଛନ୍ତି । ଏହି ନୁଆ ବ୍ୟବସ୍ଥା ଅନୁଯାୟୀ ପ୍ରତି ପ୍ରେସିଡିୟମ ବୈଠକରେ ଜଣେ ଲେଖାଁଏ କନଭେନର ରୋଟେସନ୍ ଭିତିରେ ଅଧ୍ୟକ୍ଷତା କରିବେ । ପ୍ରତି ପ୍ରେସିଡିୟମ ବୈଠକରେ ବିଶ୍ୱିଦ୍ୟାଳୟର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହେବ ।

ପ୍ରତି ବୈଠକକୁ ରେଭେନ୍ସା ଷ୍ଟୁଡେଂଟ୍ ଆଡଭାଇଜର କମିଟି ପରିଚାଳନା କରିବ ବୋଲି କୁଳପତି ସୂଚନା ଦେଇଛନ୍ତି । ଏପଟେ ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟାରେ ଆସିଥିବା ସଂସ୍କାରକୁ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରତିବାଦ ଜାରି ରହିଛି । ଲଗାତର ୫ ଦିନରେ ଆମରଣ ଅନଶନରେ ବସିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜଣେ ଛାତ୍ର ଅସୁସ୍ଥ ଅନୁଭବ କରିବାରୁ ଗତକାଲି ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି ।

କୁଳପତି କିଛି ଛାତ୍ରଛାତ୍ରୀଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ନିର୍ବାଚନ ପ୍ରକ୍ରିୟାରେ ଆସିଥିବା ସଂସ୍କାରକୁ ସମର୍ଥନ କରିବା ଉଚିତ୍ ବୋଲି କହିଛନ୍ତି । ହେଲେ ଯେପର୍ଯ୍ୟନ୍ତ କୁଳପତି ତାଙ୍କ ନିଷ୍ପତ୍ତିରୁ ଓହରି ନାହାଁନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ କହିଛି ଅଖୀଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ଛାତ୍ର କଂଗ୍ରେସ ।