ସରିଲା ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର । ଭୋଟ ହାତେଇବାକୁ ୩ ଦଳର ଜୋରଦାର ପ୍ରୟାସ

105

କନକ ବ୍ୟୁରୋ : ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ ହୋଇଛି । ଶେଷ ଦିନରେ ସବୁ ରାଜନୈତିକ ଦଳ ଜୋରଦାର ପ୍ରଚାର କରିଛନ୍ତି । ବିଜେପି ପାଇଁ ଷ୍ଟାର କ୍ୟାମ୍ପେନର ଭାବେ ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅହମଦାବାଦ, ଖେଡାରେ ପ୍ରଚାର କରିଥିଲେ । ତାଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ସେହିପରି ଆମ୍ ଆଦମୀ ପାର୍ଟି ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, ଗୁଜରାଟରେ ଆପ୍ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନୀ ଗଢବୀ ରୋଡ୍ ଶୋ’ କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ପଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ଭାଗ୍ୟ ପରୀକ୍ଷା ହେବ । ସେହିପରି ଅଳ୍ପେଶ ଠାକୁରଙ୍କୁ ମଧ୍ୟ ବିଜେପି ତା’ର ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛି ।

ଦ୍ୱିତୀୟ ପର୍ଯ୍ୟାୟରେ ୧୪ଟି ଜିଲ୍ଲାରେ ୯୩ଟି ଆସନ ପାଇଁ ମତଦାନ ହେବ । ଯେଉଁଥିରେ ୨କୋଟି ୫୧ ଲକ୍ଷରୁ ଅଧିକ ମତଦାତା ୮୩୩ ପ୍ରାର୍ଥୀଙ୍କ ପାଇଁ ମତଦାନ କରିବେ । ପ୍ରାର୍ଥୀଙ୍କ ମଧ୍ୟରେ ୬୯ ମହିଳା ରହିଥିବା ବେଳେ ୨୮୫ଟି ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ରହିଛନ୍ତି । ବିଜେପି ଓ ଆମ୍ ଆଦମୀ ପାର୍ଟି ବା ଆପ୍ ସମସ୍ତ ୯୩ଟି ଆସନରେ ଲଢ଼ିବେ । କଂଗ୍ରେସ ୩ଟି ଆସନ ତା’ର ମେଂଟ ଦଳ ଏନସିପିକୁ ଦେଇଛି । ମତଦାନ ପାଇଁ ୨୬ହଜାର ୪୦୯ ମତଦାନ କେନ୍ଦ୍ର ରହିଛି । ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୬୩ ଦଶମିକ ୬୧ ପ୍ରତିଶତ ମତଦାନ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଭୋଟ୍ ହାର କମିବା ପରେ ନିର୍ବାଚନ କମିଶନର ଗୁଜରାଟବାସୀଙ୍କୁ ବିପୁଳ ସଂଖ୍ୟାରେ ମତଦାନ ଦେବାକୁ ଅନୁରୋଧ କରିଛନ୍ତି ।