ନିର୍ବାଚନ ପୂର୍ବରୁ ମୋଦି ଖେଳିଲେ ସଂରକ୍ଷଣ କାର୍ଡ଼ । ଗରିବ ସବର୍ଣ୍ଣଙ୍କୁ ୧୦% ସଂରକ୍ଷଣ ଥୋପ ।

1,065

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବଡ଼ ନିଷ୍ପତି । ଆର୍ଥିକ ସ୍ଥିତି ଦୁର୍ବଳ ଥିବା ସବର୍ଣ୍ଣ ବର୍ଗର ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ କରିବାକୁ କେନ୍ଦ୍ର କ୍ୟାବିନେଟ୍ ରେ ମଞ୍ଜୁରୀ ଦେଇଛନ୍ତି ମୋଦି ସରକାର । ଏହି ନିଷ୍ପତି ଅନୁସାରେ ଆର୍ଥିକ ସ୍ଥିତି ଦୁର୍ବଳଥିବା ସବର୍ଣ୍ଣ ଜାତିକୁ ମିଳିବ ସଂରକ୍ଷଣର ଫାଇଦା । ଏନେଇ ଆଜି ମୋଦି ସରକାର କେନ୍ଦ୍ର କ୍ୟାବିନେଟରେ ସଂରକ୍ଷଣ ବିଲକୁ ମଞ୍ଜୁର କରିଛନ୍ତି ।

ସମ୍ବିଧାନରେ ସଂଶୋଧନ ପାଇଁ ଆସନ୍ତା କାଲି ସଂସଦରେ ପ୍ରସ୍ତାବ ଆଣିବେ ମୋଦି ସରକାର । ଏହାପରେ ସମସ୍ତ ସରକାରୀ କ୍ଷେତ୍ର, ନିଯୁକ୍ତି ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ପାଇଁ ୧୦ ପ୍ରତିଶତ ସଂରକ୍ଷଣ ନିୟମ କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି । ବାର୍ଷିକ ୮ ଲକ୍ଷରୁ କମ୍ ଆୟ ଥିବା ସବର୍ଣ୍ଣକୁ ମିଳିପାରେ ସୁବିଧା ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ପୂର୍ବରୁ ଅନେକ ଥର ଏସସି,ଏସଟି ସଂରଣକ୍ଷଣ ନେଇ ସାଧାରଣ ବର୍ଗର ଲୋକମାନେ ଅସନ୍ତୋଷ ପ୍ରକାଶ କରିଥିଲେ । କିନ୍ତୁ ଆଜି ମୋଦି ସରକାର ବଡ଼ ବାଜି ଖେଳିଛନ୍ତି ।

ମୋଦି ଆଜି କ୍ୟାବିନେଟରେ ଗରିବ ସବର୍ଣ୍ଣ ଶ୍ରେଣୀର ଲୋକମାନଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବିଲକୁ ମଞ୍ଜୁରୀ ଦେବା ନିର୍ବାଚନୀ ଥୋପ ବୋଲି ଆକଳନ କରିଛନ୍ତି ରାଜନୀତି ବିଶେଷଜ୍ଞ । ଆଗକୁ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ମୋଦି ସରକାର ସବର୍ଣ୍ଣ ଜାତିର ଆର୍ଥିକ ସ୍ଥିତି ଦୁର୍ବଳଥିବା ଲୋକମାନଙ୍କୁ ଖୁସି କରାଇ ଭୋଟ ହାତେଇବାକୁ ପ୍ରୟାସ କରିଛନ୍ତି ବୋଲି ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଛି ।