ଆଫଗାନିସ୍ତାନରେ ପହଞ୍ଚିଲା ଭାରତୀୟ ବାୟୁସେନାର ବିମାନ । ଫଶି ରହିଥିବା ଭାରତୀୟଙ୍କୁ କରିବ ଏୟାରଲିଫ୍ଟ ।

717

କନକ ବ୍ୟୁରୋ : ଆଫଗାନିସ୍ତାନରେ ଫେରିଛି ତାଲିବାନ ଯୁଗ । ବନ୍ଧୁକ ମୁନରେ ଶାସନ କ୍ଷମତାକୁ ତାଲିବାନ ହାଇଜାକ କରିବା ପରେ ଦେଶ ଛାଡି ଅନ୍ୟଦେଶକୁ ଚାଲି ଯାଉଛନ୍ତି ଆଫଗାନିସ୍ତାନ ବାସିନ୍ଦା । ସେହିଭଳି ଆଫଗାନିସ୍ତାନରେ ମଧ୍ୟ ଅନେକ ଦେଶର ଲୋକ ଫଶିକି ରହିଛନ୍ତି । ଯେଉଁମାନଙ୍କୁ ଉଦ୍ଧାର ପାଇଁ ଜୋରଦାର ଉଦ୍ୟମ ଚାଲିଛି । ଆଉ ଫଶି ରହିଥିବା ଲୋକଙ୍କ ମଧ୍ୟରେ ଭାରତର ଅଧିକାଂଶ ଲୋକ ମଧ୍ୟ ରହିଛନ୍ତି । ଆଉ ଏହି ଭାରତୀୟଙ୍କୁ ଉଦ୍ଧାର ପାଇଁ ଭାରତୀୟ ବାୟୁସେନାର ସି-୧୭ ଗ୍ଲୋବମାଷ୍ଟର ବିମାନ ଆଫଗାନିସ୍ତାନର କାବୁଲରେ ପହଞ୍ଚିଛି ।

ପୂର୍ବରୁ ଏୟାର ଇଣ୍ଡିଆ ପକ୍ଷରୁ କାବୁଲକୁ ଉଡାଣ ବନ୍ଦ ହୋଇଥିବା ବେଳେ ଅନେକ ଭାରତୀୟ କିଭଳି ଦେଶକୁ ଫେରିବେ ସେନେଇ ଆଶଙ୍କାରେ ପଡିଥିଲେ । ତେବେ ଉଡାଣ ବନ୍ଦ ହେବାର କିଛି ଘଣ୍ଟା ମଧ୍ୟରେ ଭାରତୀୟ ବାୟୁସେନାର ସି-୧୭ ଗ୍ଲୋବମାଷ୍ଟର ବିମାନ ସୋମବାର କାବୁଲରେ ପହଞ୍ଚିଛି । ଆଉ ଏହି ବିମାନ ଯୋଗେ ଆଫଗାନିସ୍ତାନରେ ଫଶିଥିବା ଭାରତୀୟଙ୍କୁ ଏୟାରଲିଫ୍ଟ କରାଯିବ । ଏବେ ଆଫଗାନିସ୍ତାନରେ ୫୦୦ରୁ ଅଧିକ ଭାରତୀୟ ଅଫିସର ଓ କର୍ମଚାରୀ ଫଶି ରହିଛନ୍ତି ।

ସି-୧୭ ଗ୍ଲୋବମାଷ୍ଟର ବିମାନ ଆଫଗାନିସ୍ତାନରେ ଲ୍ୟାଣ୍ଡ କରିବା ପୂର୍ବରୂ ଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ଆଉ ଏହି ବୈଠକରେ ଆଫଗାନିସ୍ତାନରେ ଭାରତୀୟ ଦୂତାବାସରେ କାମ କରୁଥିବା କର୍ମଚାରୀଙ୍କୁ କିଭଳି ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ସେନେଇ ଆଲୋଚନା ହୋଇଥିଲା । ତେବେ ସି-୧୭ ଗ୍ଲୋବମାଷ୍ଟର କାବୁଲରେ ଲ୍ୟାଣ୍ଡ କରିବା ପୂର୍ବରୁ ପ୍ରଥମେ ତାଜିକିସ୍ତାନରେ ଲ୍ୟାଣ୍ଡ କରିଥିଲା । ଆଉ କାବୁଲ ବିମାନବନ୍ଦରରେ ସ୍ଥିତିରେ ସୁଧାର ଆସିବା ପରେ ଆଫଗାନିସ୍ତାନ ଅଭିମୁଖେ ବାହାରିଥିଲା ଗ୍ଲୋବମାଷ୍ଟର ।

କେବଳ ଭାରତ ନୁହେଁ ଅନ୍ୟ ଦେଶ ମଧ୍ୟ ନିଜ ଲୋକଙ୍କୁ ଉଦ୍ଧାର ପାଇଁ କାବୁଲ ବିମାନବନ୍ଦରରେ ଡେରା ପକାଇଛନ୍ତି । ପ୍ରତି ଦେଶ ସେନା ସହାୟତାରେ ନିଜର ଲୋକଙ୍କୁ ଆଫଗାନିସ୍ତାନରୁ ଉଦ୍ଧାର କରୁଛନ୍ତି । ଏପରିକି ଆମେରିକା ନିଜ ଦେଶର ଲୋକଙ୍କୁ ଉଦ୍ଧାର ପାଇଁ ୫ ହଜାର ସୈନିକ ପଠାଇବାକୁ ନିଷ୍ପତ୍ତି ନେଇଛି । ତେବେ ଏସବୁ ଭିତରେ ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଭାରତ ଆଫଗାନିସ୍ତାନ ଉପର ଦେଇ କୌଣସି ଉଡାଣ ନ କରିବାକୁ ନିଷ୍ପତ୍ତି ନେଇଛି । ଅଥାର୍ତ ଆଫଗାନିସ୍ତାନ ଏୟାରସ୍ପେଶ ବ୍ୟବହାର ଉପରେ ରୋକ ଲଗାଇଛି ଭାରତ । ତେବେ ଆମେରିକା-ଭାରତ ମଧ୍ୟରେ ଯେଉଁ ବିମାନ ଉଡାଣ ଭରୁଛି ତାହା ଏବେ ଭିନ୍ନ ରୁଟ୍ ଦେଇ ଅଥାର୍ତ କତର ଓ ୟୁଏଇ ଦେଇ ଦିଲ୍ଲୀ ଆସିବା ନେଇ ନିଷ୍ପତ୍ତି ହୋଇଛି ।