ବିଧାୟକଙ୍କ ଅଡିଓ ଟେପକୁ ନେଇ ବିଧାନସଭାରେ ଉଠିଲା ଝଡ଼ । ଚାନ୍ଦବାଲି ବିଧାୟଙ୍କୁ ଘେରିଲେ ବିରୋଧୀ ଦଳ ନେତା

105

କନକ ବ୍ୟୁରୋ: ବାଂଶଡ଼ା ଥାନା ଏଏସଆଇ ଏବଂ ଚାନ୍ଦବାଲି ବିଧାୟକଙ୍କୁ ନେଇ ଘୁରି ବୁଲୁଥିବା ଅଡିଓ କ୍ଲିପ୍ ବିବାଦ ଭିତରେ ନେତାଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ଏକ ବଡ଼ ଧରଣର ବିତର୍କ ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗଟି ଏବେ ବିଧାନସଭାରେ ମଧ୍ୟ ପହଂଚିଛି । ବିଧାୟକ ଓ ପୁଲିସ୍ ଏଏସ୍ଆଇଙ୍କ ଭିତରେ ହୋଇଥିବା କଥାବାର୍ତାର ଅଡିଓ ଏବେ ମୋବାଇଲରୁ ମୋବାଇଲରୁ ଘୁରି ବୁଲୁଥିବା ବେଳେ ଏହାର ଝଡ଼ ବିଧାନସଭାରେ ଉଠିଛି ।

ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଏବଂ ବାଂଶଡ଼ା ଏଏସ୍ଆଇ ଗୁରୁପ୍ରସାଦ ବେହେରାଙ୍କ ଭିତରେ ହୋଇଥିବା କଥାବାର୍ତାକୁ ନେଇ ଶୂନ୍ୟକାଳରେ ମୁହାଁମୁହିଁ ହୋଇଛନ୍ତି ବିରୋଧୀ ଦଳ ନେତା ଓ ବିଜେଡି ବିଧାୟକ । ବିଧାୟକଙ୍କ ଆଚରଣ କଥା ଉଠାଇ ରାଜ୍ୟର ଶାସନ ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଥିବା ବେଳେ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି । ବିରୋଧୀ ଦଳ ନେତା ଭାଇରାଲ ଅଡିଓ ପ୍ରସଙ୍ଗ ଉଠାଇ କହିଥିଲେ- ରାଜ୍ୟର କିଭଳି ଶାସନ ଚାଲିଛି? ଶାସକ ଦଳର ନେତା ପୁଲିସ୍ ଏଏସ୍ଆଇକୁ ଧମକାଇ ପାରିବେ କି? ଘଟଣାର ନିରପେକ୍ଷ ତଦନ୍ତ କରାଯାଉ । ବିଧାୟକଙ୍କ ଆଚରଣରେ ଶାଳୀନତା ରଖିବାକୁ ବାଚସ୍ପତି ରୁଲିଂ ଦାବି କରନ୍ତୁ ।

ଯାହାର ଜବାବରେ ଚାନ୍ଦବାଲି ବିଧାୟକ କହିଥିଲେ- ଅଡିଓ ଟେପ୍କୁ ବିଭ୍ରାନ୍ତ କରି ଦେଖାଯାଉଛି । ସେ ପିଏଚ୍ଡି କରିଛନ୍ତି ଏବଂ ବ୍ୟବହାର କେମିତି କରାଯିବ ଜାଣନ୍ତି । ପୁଲିସ ଅଧିକାରୀ ଲୋକଙ୍କୁ ହଇରାଣ କରୁଥିଲେ । ଯଦି ବାଚସ୍ପତି ଚାହିଁବେ ସମ୍ପୂର୍ଣ୍ଣ ଅଡିଓ ଗୃହରେ ରଖିବେ ବୋଲି ବ୍ୟୋମକେଶ କହିଥିଲେ ।

ରାଜନୀତିର ଏହି ବୟାନବାଜି ଭିତରେ ୨୦୧୯ ମସିହାର କଥା ମନେ ପକାନ୍ତୁ, ଯେତେବେଳେ ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚନ ହୋଇଥିଲେ ନବୀନ ପଟ୍ଟନାୟକ । ସେତେବେଳେ ବିଧାୟକଙ୍କ ଆଚରଣ ଓ ଉଚ୍ଚାରଣ କେମିତି ହେବା ଉଚିତ, ନବନିର୍ବାଚିତ ବିଧାୟକଙ୍କୁ ବୁଝାଇଥିଲେ ନବୀନ । ଏମିତି କି ଗାନ୍ଧୀଙ୍କ ଆଦର୍ଶରେ ଚାଲିବାକୁ ପରାମର୍ଶ ଦେଇଥିଲେ । ଏସବୁ ଭିତରେ ବିଧାନସଭାରେ ଗାନ୍ଧୀ ଆଦର୍ଶ ନେଇ ଚର୍ଚ୍ଚା ହେଉଥିବା ବେଳେ ଚାନ୍ଦବାଲି ବିଧାୟଙ୍କ ଆଚରଣ, ସମସ୍ତଙ୍କୁ ଚକିତ କରିଛି।