ଏକାମ୍ର କ୍ଷେତ୍ର ପାଇଁ ପ୍ରସ୍ତାବିତ ବାଇ-ଲ ହଟାଇବାକୁ ଦାବି ଭିତରେ ବିବାଦ ବଢ଼ାଇଲା ଧର୍ମେନ୍ଦ୍ରଙ୍କ ଟ୍ୱିଟ୍ । ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ ।

84

କନକ ବ୍ୟୁରୋ: ଏକାମ୍ର କ୍ଷେତ୍ର ପାଇଁ ଚାଲିଥିବା ଆନ୍ଦୋଳନ ଆଉ ରାଜନୈତିକ ଦଳ ଦେଖାଉଥିବା ଆଭିମୁଖ୍ୟ ଭିତରେ ବାସ୍ତବ କଥା କିଏ କହୁଛି ତାକୁ ନେଇ ବିତର୍କ ଆରମ୍ଭ ହୋଇଛି । ବିଜେଡି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଏବଂ ସରକାରୀ ଅଧିକାରୀଙ୍କୁ ବିବାଦ ଭିତରକୁ ଟାଣିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରସ୍ତାବିତ ଅଧିନିୟମକୁ ଭଲ ଭାବେ ରାଜ୍ୟ ସରକାରଙ୍କ ଅଧିକାରୀମାନେ ପଢ଼ିନାହାନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଠିକ ଭାବେ ବୁଝାଇ ନାହାନ୍ତି ।

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଦୀପଦାନ, ସେବାୟତଙ୍କ ୨୪ ଘଂଟାର ମହଲତ ଏବଂ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ ଭିତରେ କେନ୍ଦ୍ର ବନାମ ରାଜ୍ୟର ଯେଉଁ ଅଧ୍ୟାୟ ଆରମ୍ଭ ହୋଇଥିଲା, ତାକୁ ଆଉ ପାଦେ ଆଗକୁ ବଢାଇଦେଲେ କେନ୍ଦ୍ରମନ୍ତ୍ରୀ । ହେଲେ କିଏ ସତ କହୁଛି ଆଉ କିଏ ବିଭ୍ରାନ୍ତ କରୁଛି ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଏଏସଆଇ ଦ୍ୱାରା ସଂରକ୍ଷିତ କୀର୍ତିରାଜି ନିକଟରେ ନିର୍ମାଣ ପାଇଁ ପୂର୍ବରୁ ସମାନ ନିୟମ ରହିଥିଲା । ଏପରିକି ରାଜ୍ୟ ସରକାର ମଧ୍ୟ ନିର୍ମାଣ ପାଇଁ ଭୁବନେଶ୍ୱର ବିଡ଼ିଏ ଠାରୁ ଅନୁମତି ନେଇ କାର୍ଯ୍ୟ କରୁଛନ୍ତି । ତା ସତ୍ତ୍ୱେ ବାଇ-ଲକୁ କାହିଁକି ବିରୋଧ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ପ୍ରସ୍ତାବିତ ବାଇ-ଲକୁ ପ୍ରତ୍ୟାହାର କରିବା ପାଇଁ ଦାବି ଉପସ୍ଥାପନ କରିଛନ୍ତି ବିଜେଡିର ସଂସଦୀୟ ପ୍ରତିନିଧି ଦଳ । ପୂର୍ବରୁ ପ୍ରହଲାଦ ପଟେଲଙ୍କୁ ଭେଟି ଦାବି ଉପସ୍ଥାପନ ବେଳେ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଓଡିଶା ସଂକ୍ରାନ୍ତରେ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହର ହେବ । ହେଲେ ଏଥିରେ ଯେତେବେଳେ ବ୍ୟତିକ୍ରମ ଦେଖିବାକୁ ମିଳିଲା, ସେନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ରଖିଛନ୍ତି ବିଜେଡି ସାଂସଦ ।

ଅନ୍ୟପଟେ ଓଡିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ବାଇ-ଲକୁ ନେଇ ଚେତାବନୀ ଦିଆଯାଇଛି । ପରମ୍ପରା ଓ ଜନବିରୋଧୀ ବାଇ-ଲକୁ ତୁରନ୍ତ ପ୍ରତ୍ୟାହାର କରାନଗଲେ ଆସନ୍ତା ୧୬ ତାରିଖରେ ରାଜ୍ୟର ସମସ୍ତ ୧୮ ହଜାର ମନ୍ଦିରରେ ସେବାୟତମାନେ ପ୍ରତିବାଦ କରିବେ ବୋଲି ସଂଘର ସଭାପତି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।