ଚା’ ବିକ୍ରି କରି ୨୩ଟି ଦେଶ ବୁଲି ସାରିଲେଣି ଭାରତୀୟ ଦମ୍ପତି ! ଟ୍ୱିଟ୍ କରି ଆନନ୍ଦ ମହିନ୍ଦ୍ରା କହିଲେ, ଦେଶର ସବୁଠୁ ବଡ ଧନୀ ହେଉଛନ୍ତି ଏହି ଦମ୍ପତି

540

ବଡ ବଡ ମଲ୍ଟି ନ୍ୟାସନାଲ କମ୍ପାନିରେ ଚାକିରି କରି ମଧ୍ୟ ଲୋକେ ବିଦେଶ ବୁଲି ପାରୁନଥିବା ବେଳେ ସାମାନ୍ୟ ଚା’ ଦୋକାନ କରି ୨୩ଟି ଦେଶ ବୁଲିଛନ୍ତି ଭାରତୀୟ ଦମ୍ପତି । କେରଳର କୋଚ୍ଚିରେ ରହୁଥିବା ବିଜୟନ ଏବଂ ତାଙ୍କ ପତ୍ନୀ ମୋହନା ଏବେ ପର୍ଯ୍ୟନ୍ତ ୨୩ଟି ଦେଶ ବୁଲି ସାରିଥିବା ଜଣାପଡ଼ିଛି । ଖାସ୍ କଥା ହେଲା ୭୦ବର୍ଷୀୟ ବିଜୟନ ଏବଂ ତାଙ୍କ ପତ୍ନୀ କୋଚ୍ଚିରେ ଏକ ଛୋଟ ଚା’ ଦୋକାନ କରିଥିବା ବେଳେ ସେଥିରୁ ହେଉଥିବା ଆୟରୁ ସେ ବୁଲୁଥିବା କଥା ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଛି । ପ୍ରତିଦିନର ଆୟରୁ କିଛି କିଛି ସଞ୍ଚୟ କରି ଦୁହେଁ ବିଭିନ୍ନ ଦେଶ ବୁଲିବାର ସ୍ୱପ୍ନ ପୂରା କରି ପାରିଛନ୍ତି । କିଛି ଲୋକ ସରକାରୀ ଚାକିରି କରି ମଧ୍ୟ ବିଦେଶ ବୁଲି ପାରୁ ନ ଥିବା ବେଳେ ଚା’ ବିକି ବିଦେଶ ବୁଲିବା ଖବରକୁ ନେଇ ଏବେ ବିଜୟନ ଚର୍ଚ୍ଚାରେ ।


ଜଣାଶୁଣା ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ଏହି ଦମ୍ପତିଙ୍କ ଭିଡିଓ ଟୁଇଟରରେ ସେୟାର କରିବା ପରେ ଖବରଟି ସାମ୍ନାକୁ ଆସିଛି । ଟୁଇଟ୍ କରି ଆନନ୍ଦ କହିଛନ୍ତି, ଫୋର୍ବସର ଧନୀ ସୂଚୀରେ ବିଜୟନ ଏବଂ ମୋହନାଙ୍କ ନାଁ ନାହିଁ ସତ । କିନ୍ତୁ ଅସଲରେ ଏହି ଦମ୍ପତି ଆମ ଦେଶର ପ୍ରକୃତ ଧନୀ । ଆଗକୁ ଯେତେବେଳେ ମୁଁ ତାଙ୍କ ସହରକୁ ଯିବି,ଯେମିତି ହେଲେ ବି ମୁଁ ତାଙ୍କ ଦୋକାନକୁ ଯାଇ ଚା’ ପିଇବି ବୋଲ ଲେଖିଛନ୍ତି।

୧୯୬୩ରେ ବିଜୟନ ଚା’ ବିକିବା ଆରମ୍ଭ କରିଥିଲେ । ଧିରେ ଧିରେ ତାଙ୍କ ଚା’କୁ ଗ୍ରାହକ ପସନ୍ଦ କରିବା ସହ ଲୋକେ ତାଙ୍କୁ ଜାଣିବା ଆରମ୍ଭ କରିଥିଲେ । ବିଜୟନ ଏବଂ ମୋହନା ଯେତେବେଳେ ବିବାହ କଲେ,ଦୁହଁଙ୍କ ସ୍ୱପ୍ନ ବିଭିନ୍ନ ବିଦେଶ ବୁଲିବାର ଥିଲା । ବିବାହ ପରେ ଦୁହେଁ ଚା’ ବିକି ଯେଉଁ ଟଙ୍କା ସଞ୍ଚୟ କରୁଥିଲେ,ସେହି ଟଙ୍କାରେ ସେ ବିଭିନ୍ନ ଦେଶ ବୁଲିବା ଆରମ୍ଭ କରିଥିଲେ । ପ୍ରତିଦିନ ବିଜୟନ ୫୦୦ଟଙ୍କା ସଞ୍ଚୟ କରି ୨୩ଟି ଦେଶ ବୁଲିଥିବା ଜଣା ପଡ଼ିଛି ।