ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି । କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ସାଂସଦ । ବଦଳିଲା ନିଷ୍ପତି, ଚିଠା ଅଧିନିୟମକୁ ପ୍ରତ୍ୟାହାର କଲେ ପ୍ରହ୍ଲାଦ ସିଂ ପଟେଲ

100

କନକ ବ୍ୟୁରୋ : ଓଡ଼ିଶାର ଚାପରେ ମୁଣ୍ଡ ନୁଆଁଇଲା କେନ୍ଦ୍ର । ଓଡିଶାର ତୀବ୍ର ପ୍ରତିବାଦ ପରେ ପୁରୀ ଶ୍ରୀମନ୍ଦିରକୁ ନେଇ କେନ୍ଦ୍ର ତାର ପ୍ରସ୍ତାବରୁ ଓହରିଯାଇଛି । ଜାତୀୟ କୀର୍ତିରାଜି କର୍ତୃପକ୍ଷ ଜାରି କରିଥିବା ବିଜ୍ଞପ୍ତି ପ୍ରତ୍ୟାହୃତ ହୋଇଥିବା ନେଇ ଟୁଇଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ । ଏନଏମଏ ଅଧ୍ୟକ୍ଷଙ୍କ ଅବଗତି ବିନା ବିଜ୍ଞପ୍ତି ଜାରି କରାଯାଇଥିବାରୁ ତୁରନ୍ତ ଏହାକୁ ପ୍ରତ୍ୟାହାର କରିବା ପାଇଁ ଟୁଇଟ୍ କରି ସୂଚନା ଦେଇଛନ୍ତି ପ୍ରହଲାଦ ସିଂ ପଟେଲ । ତେବେ ଏହି ନିଷ୍ପତି ଆସିବା ପୂର୍ବରୁ ବାଇ-ଲ ପ୍ରତ୍ୟାହାର ଦାବିରେ ଉଭୟ ବିଜେଡି ଓ ବିଜେପି ସାଂସଦ ଯାଇ କେନ୍ଦ୍ରମନ୍ତ୍ରୀଙ୍କ ସାକ୍ଷାତ କରିଥିଲେ । ଆଉ ଏସବୁ ଭିତରେ ପୁରୀରୁ କେନ୍ଦ୍ରକୁ କଡା ବାର୍ତା ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା ପୁରା ଘଟଣାର ମୋଡ଼ ବଦଳାଇ ଦେଇଥିଲା ।

ଜଗନ୍ନାଥଙ୍କ କାର୍ଯ୍ୟକୁ କେହି ଅଟକାଇ ପାରିବେ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଏହି ବାର୍ତା ହୁଏତ, କେନ୍ଦ୍ର ସରକାରଙ୍କୁ ନିଷ୍ପତି ବଦଳାଇବାକୁ ବାଧ୍ୟ କରି ଦେଇଛି । ପୁରୀ ଶ୍ରୀମନ୍ଦିର ପାଇଁ ନ୍ୟାସନାଲ ମନୁମେଂଟ ଅଥରିଟିର ପ୍ରସ୍ତାବିତ ସ୍ୱତନ୍ତ୍ର ବାଇ-ଲ’କୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦାବି କରିବା କିଛି ଘଂଟା ପରେ ବଦଳିଯାଇଛି ନିଷ୍ପତି । କରୋନା କାଳରେ ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଓଡ଼ିଶା ଲୋକଙ୍କ ମଙ୍ଗଳ କାମନା କରି ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ନବୀନ ପଟ୍ଟନାୟକ ।

ସ୍ୱତନ୍ତ୍ର ବାଇ-ଲ’କୁ ମୁଖ୍ୟମନ୍ତ୍ରୀଙ୍କ ଆପତିଠାରୁ ବିଜ୍ଞପ୍ତି ପ୍ରତ୍ୟାହାର ଭିତରେ ୪ଟି ଘଟଣା ହେବା ସାମ୍ନାକୁ ଆସିଛି । ପୁରୀରୁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ କଡା ବାର୍ତା ଦେବା । ବିଜେଡି ସାଂସଦମାନେ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ବାଇ-ଲ’କୁ ପ୍ରତ୍ୟାହାର କରିବା ପାଇଁ ଦାବି ଜଣାଇବା । ସମାନ ଢ଼ଙ୍ଗରେ ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀଙ୍କ ନେତୃତ୍ୱରେ ବିଜେପିର ସାଂସଦମାନେ କେନ୍ଦ୍ର ସଂସ୍ୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଭେଟିବା । ଏବଂ ଶେଷରେ ବାଇ-ଲ ପ୍ରତ୍ୟାହୃତ ହୋଇଥିବା ନେଇ ପ୍ରହଲ୍ଲାଦ ପଟେଲ୍ ଟୁଇଟ୍ କରିବା । ଏହି ଚାରିଟି ଘଟଣା ଭିତରେ କିନ୍ତୁ ବିଜେଡି ଓ ବିଜେପି ସାଂସଦଙ୍କ ଭିତରେ ଶ୍ରେୟ ନେବା ପାଇଁ ଏକ ପ୍ରକାର ଉଦ୍ୟମ କରିବା ସ୍ପଷ୍ଟ ବାରି ହୋଇପଡୁଥିଲା ।

ଓଡ଼ିଶାର ବିଜେଡି ଓ ବିଜେପି ସାଂସଦଙ୍କ ସାକ୍ଷତ-ଆଲୋଚନା ପରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଟ୍ୱିଟ୍ କରି ଲେଖିଥିଲେ- ଓଡ଼ିଶାର ସାଂସଦମାନେ ପୁରୀ ସମ୍ପର୍କୀତ ବିଜ୍ଞପ୍ତି ସମ୍ପର୍କରେ ସୂଚନା ଦେଇଥିଲେ । ଏହି ବିଜ୍ଞପ୍ତି ଏନ୍ଏମ୍ଏ ଅଧ୍ୟକ୍ଷଙ୍କ ଅଗୋଚରରେ ଜାରି କରାଯାଇଥିଲା । ଏହାକୁ ତରନ୍ତ ପ୍ରତ୍ୟାହାର କରାଯାଇଛି । ଏହା ପରେ ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି- ଜୟ ଜଗନ୍ନାଥ । ଏବଂ ଧର୍ମେନ୍ଦ୍ର ପ୍ରଧାନ ରିଟୁଇଟ୍ କରି ପ୍ରଧାନମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛନ୍ତି ।

ପୁରୀ ମନ୍ଦିରକୁ ନେଇ ଜାତୀୟ ସ୍ମାରକୀ ପ୍ରାଧିକରଣର ବାଇ-ଲ’ରେ କୁହାଯାଇଥିଲା, ଶ୍ରୀମନ୍ଦିରର ସବୁ ଦିଗରେ ୧୦୦ମିଟର ପର୍ଯ୍ୟନ୍ତ ନିଷିଦ୍ଧ କ୍ଷେତ୍ର ରହିବ । ଏହି କ୍ଷେତ୍ରରେ କୌଣସି ସରକାରୀ କିମ୍ବା ବେସରକାରୀ ନିର୍ମାଣ ହୋଇପାରିବ ନାହିଁ । ସେହିପରି ସବୁ ଦିଗରେ ୧୦୦ମିଟରରୁ ୩୦୦ମିଟର ପର୍ଯ୍ୟନ୍ତ ନିୟନ୍ତ୍ରିତ କ୍ଷେତ୍ର ହେବ । ଏହାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ଜାତୀୟ ସ୍କାରକୀ ପ୍ରାଧିକରଣକୁ ଚିଠି ଲେଖି କହିଥିଲେ- ଶ୍ରୀଜଗନ୍ନାଥ ପ୍ରଭୁ, ସେବକ ଏବଂ ଭକ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ବାଇ-ଲ କୁ ପ୍ରତ୍ୟାହାର କରାଯାଉ ।