କନକ ବ୍ୟୁରୋ: ଗୁଜରାଟ ତଟ ଆଡକୁ ମୁହାଁଉଛି ବାତ୍ୟା ବିପର୍ଯ୍ୟୟ । ଆଉ କିଛି ସମୟ ପରେ ଗୁଜରାଟର ସୌରାଷ୍ଟ୍ର, କଚ୍ଛ ଏବଂ ପାକିସ୍ତାନର ଉପକୂଳ ଅଞ୍ଚଳରେ ସ୍ଥଳଭାଗ ଛୁଇଁବ । ଗତ ୬ ଘଣ୍ଟା ହେଲା ବାତ୍ୟା ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ଗତି କରୁଛି । ଏବେ ବାତ୍ୟା ଗୁଜରାଟର ଜଖଉ ପୋର୍ଟଠାରୁ ୧୭୦, ଦେବଭୂମି ଦ୍ୱାରକାଠାରୁ ୨୧୦ ଓ କରାଚିଠାରୁ ୨୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି । ସଂଧ୍ୟା ସୁଦ୍ଧା ଏହା ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ୧୧୫ରୁ ୧୨୫ କିଲୋମିଟର ରହିଥିବ । ସ୍ଥଳ ବିଶେଷରେ ୧୪୦ କିଲୋମିଟର ବେଗରେ ପବନ ବହିପାରେ । ସୌରାଷ୍ଟ୍ର ଓ କଚ୍ଛ ଉପକୂଳରେ ରେର୍ଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ବାତ୍ୟା ପାଇଁ ଗୁଜରାଟର ୮ ଜିଲ୍ଲାର ତଳିଆ ଅଞ୍ଚଳରୁ ୧ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି । ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ଗୁଜରାଟରେ ଏହାର ଭୀଷଣ ପ୍ରଭାବ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଯୋଗୁ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କଚ୍ଛ, ଦ୍ୱାରକା, ରାଜକୋଟ, ଜାମନଗର ଏବଂ ପୋରବନ୍ଦରରେ ୧୭ ଏନଡିଆରଏଫ୍ ଏବଂ ୧୨ ଏସଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି । ରେସକ୍ୟୁ ଅପରେସନ ପାଇଁ ଏନଡିଆରଏଫ ଟିମ ସହ ବିଏସଏଫ ଓ ବାୟୁସେନାର ହେଲିକ୍ୟାପ୍ଟର ମୁତୟନ କରାଯାଇଛି ।