ରାତି ପାହିଲେ ମୟୂରଭଞ୍ଜରେ ଶକ୍ତିପରୀକ୍ଷା । ଜିଲ୍ଲା ପରିଷଦ ଉପ ନିର୍ବାଚନ ପାଇଁ ପ୍ରଚାର ମୈଦାନରେ ହେଭିୱେଟ

322

କନକ ବ୍ୟୁରୋ :  ରାତି ପାହିଲେ ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ୩୨ ନମ୍ବର ଜୋନରେ ଜିଲ୍ଲାପରିଷଦ ଉପ ନିର୍ବାଚନ । ମାତ୍ର ଗୋଟିଏ ଆସନ ପାଇଁ ଏହି ନିର୍ବାଚନ ହେଉଛି । ସାଧାରଣରେ ହୁଏତ ଧାରଣା ହେଉଥିବ ଗୋଟିଏ ଜୋନରେ ଜିଲ୍ଲା ପରିଷଦ ଉପନିର୍ବାଚନ ହେବା ହୁଏତ ଏତେ ବଡ ଖବର ହୋଇ ନପାରେ । ହେଲେ ଏହି ଗୋଟିଏ ନିର୍ବାଚନର ଏକ ବଡ ପ୍ରଭାବ ପଡିବାକୁ ଯାଉଛି । କାହିଁକି ନା ବିଜେଡି, ବିଜେପି ଓ କଂଗ୍ରେସ ସହ ଜେଏମଏମ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି । ପ୍ରମୁଖ ରାଜନୈତିକ ଦଳର ବହୁ ହେଭିୱେଟ ନେତା ବି ପ୍ରଚାର କରୁଛନ୍ତି । ହେଲେ ସବୁଠାରୁ ବଡ କଥା ହେଉଛି ପଂଚାୟତ ନିର୍ବାଚନରେ ସାରା ରାଜ୍ୟରେ ବିଜେପିର ପତିଆରା ବଢିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ବି ତାର ପ୍ରତିଫଳନ ଦେଖିବାକୁ ମିଳିଥିଲା ।

୨୦୧୭ରେ ହୋଇଥିବା ଜିଲ୍ଲା ପରିଷଦ ନିର୍ବାଚନରେ ଏଠାରେ ନମ୍ବର ୱାନ ଦଳ ଭାବେ ବିଜେପି ସାମ୍ନାକୁ ଆସିଥିଲା । ବିଜେପିକୁ ୬ହଜାର ୯ଶହ ୨୦ ଭୋଟ ମିଳିଥିବା ବେଳେ ଜେଏମଏମ ୫ହଜାର ୧୭୪ ଭୋଟ ସହ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ୩ହଜାର ୨୨୧ଭୋଟ ସହ ତୃତୀୟ ସ୍ଥାନରେ ଥିଲା ବିଜେଡି । ପଂଚାୟତ ନିର୍ବାଚନରେ ବିଜେଡିକୁ ବିଜେପି କଡା ଟକ୍କର ଦେଇଥିବା ବେଳେ ଉପନିର୍ବାଚନରେ ବିଜେପିକୁ ମାତ ଦେବା ବିଜେଡି ପାଇଁ ବଡ ଚ୍ୟାଲେଞ୍ଜ । ସେହିପରି ନିଜ ଭୋଟରଙ୍କ ବିଶ୍ୱାସ ବଜାୟ ରଖିବା ବିଜେପି ପାଇଁ ବି ସମ୍ମାନର ପ୍ରଶ୍ନ । ସେହିପରି ଜେଏମଏମର ବି ସଙ୍ଗଠନ ସୁଦୃଢ ଥିବାରୁ ଛୋଟ ନିର୍ବାଚନରେ ବି ବଡ ଧରଣର କସରତ ଦେଖିବାକୁ ମଳିଛି ।

ଶାସକ ଦଳ ପାଇଁ ପ୍ରାୟ ୮ଜଣ ବିଧାୟକ ଓ ସାଂସଦ ପ୍ରଚାର କରୁଥିବା ବେଳେ ପଂଚାୟତ ନିର୍ବାଚନର ପତିଆରାକୁ ଏହି ଉପ ନିର୍ବାଚନରେ ବଜାୟ ରଖିବା ପାଇଁ ବି ଜୋରଦାର ଚେଷ୍ଟା କରୁଛି ବିଜେପି । ମୈଦାନରେ କଂଗ୍ରେସର କସରତ ବି ଚର୍ଚ୍ଚାରେ ରହିଛି । ହେଲେ ଏହି ନିର୍ବାଚନର ଏକ ବଡ ପ୍ରଭାବ ନେଇ ଆକଳନ କରାଯାଉଛି । ଏମିତିକି ନିର୍ବାଚନ ଫଳାଫଳ ଲୋକଙ୍କ ମିଜାଜ ଓ ରାଜନୈତିକ ଦଳର ବିଶ୍ୱସନୀୟତାକୁ ବି ଜାହିର କରିବ ବୋଲି କୁହାଯାଉଛି । ଏହି ଜିଲ୍ଲା ପରିଷଦ ଉପନିର୍ବାଚନରେ ୫ଟି ପଂଚାୟତର ପ୍ରାୟ ୨୩ହଜାର ଭୋଟର ମତଦାନ କରିବେ ବୋଲି କୁହଯାଉଛି । ୨୦୧୭ରେ ତୃତୀୟ ସ୍ଥାନରେ ଥିବା ଶାସକ ଦଳର ଭୋଟ ବଢିବ କି? ବିଜେପି ନିଜର ପୂର୍ବ ପତିଆରା ଜାହିର କରିପାରିବ କି? କଂଗ୍ରେସ ଓ ଜେଏମଏମର ପ୍ରଚାର ପଲିଟିକ୍ସ ସହ କେଉଁ ରାଜନୈତିକ ଦଳ ଉପରେ ଲୋକ ସମର୍ଥନ ରହିଛି ତାର ଚିତ୍ର ବି ଆସିବା ନେଇ ଆକଳନକ କରାଯାଉଛି । ସବୁଠାରୁ ବଡ କଥା ହେଲା ଆଗକୁ ସାଧାରଣ ନିର୍ବାଚନ ଥିବାରୁ କେଉଁ ଦଳ ଓ କେଉଁ ନେତାଙ୍କ କସରତ ଲୋକଙ୍କୁ କେତେ ପ୍ରଭାବିତ କରୁଛି ସେନେଇ ବି ଚର୍ଚ୍ଚା ହେବା ସ୍ୱଭାବିକ ।