ଜଷ୍ଟିସ୍ ବିଭି ନାଗରତ୍ନା ହୋଇପାରନ୍ତି ଦେଶର ପ୍ରଥମ ମହିଳା ମୁଖ୍ୟ ବିଚାରପତି, ଜାଣନ୍ତୁ କେବେ ସମ୍ଭାଳିବେ ପଦଭାର

131

କନକ ବ୍ୟୁରୋ : ଜଷ୍ଟିସ ବିଭି ନାଗରତ୍ନା ୨୦୨୭ ରେ ଦେଶର ପ୍ରଥମ ମହିଳା ମୁଖ୍ୟ ବିଚାରପତି ହେବେ । ଆଜି ଏଭଳି ସୂଚନା ମିଳିଛି । ଜଷ୍ଟିସ ବିଭି ନାଗରତ୍ନା କର୍ଣ୍ଣାଟକ ହାଇକୋର୍ଟରେ ଏବେ ଜଜ୍ ଅଛନ୍ତି । ସେ ସୁପିମକୋର୍ଟର ପୂର୍ବ ମୁଖ୍ୟ ବିଚାରପତି ଜଷ୍ଟିସ ଇଏମ ଭେଙ୍କଟରମେୟାଙ୍କ କନ୍ୟା । ଜଷ୍ଟିସ ନାଗରତ୍ନା କର୍ଣ୍ଣାଟକରେ କମର୍ସିଆଲ ଏବଂ ସାମ୍ବିଧାନିକ ଆଇନର ବାଖ୍ୟା କରି ଅନେକ ମହତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ତାଙ୍କ ପିତା ପୂର୍ବ ଜଷ୍ଟିସ ଭେଙ୍କଟରମେୟା ୧୯୮୯ ଜୁନ ୧୯ ତାରିଖରୁ ୧୯୮୯ ଡିସେମ୍ବର ମାସ ପର୍ଯ୍ୟନ୍ତ ଭାରତୀୟ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ପଦଭାର ସମ୍ଭାଳିଥିଲେ ।

ଜଷ୍ଟିସ ବିଭି ନାଗରତ୍ନା କର୍ଣ୍ଣାଟକରେ ୧୯୮୭ ମସିହାରେ ବାର କାଉଁସିଲରେ ନାମଙ୍କନ କରି ସାମ୍ବିଧାନିକ ଓ ବ୍ୟବସାୟୀକ ଆଇନ ଉପରେ ପ୍ରାକ୍ଟିସ ଆରମ୍ଭ କରିଥିଲେ । ତାଙ୍କୁ ୨୦୦୮ରେ କର୍ଣ୍ଣାଟକ ହାଇକୋର୍ଟରେ ଆଡିସିନାଲ ଜଜ୍ ଭାବେ ନିଯୁକ୍ତି ମିଳିଥିଲା । ଏହାପରେ ୨୦୧୦ ଫେବୃଆରୀ ୧୭ ତାରିଖରେ ତାଙ୍କୁ କର୍ଣ୍ଣାଟକ ହାଇକୋର୍ଟରେ ସ୍ଥାୟୀ ଜଜ୍ ଭାବେ ନିଯୁକ୍ତି ମିଳିଥିଲା ।
କହିରଖୁ କି ବର୍ତମାନ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଏନବି ରମନ୍ନାଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ ଉଚ୍ଚନ୍ୟାୟାଳୟର ପଦୋନ୍ନତି ପାଇଁ ୯ ଜଣ ଜଷ୍ଟିସଙ୍କ ନାମ ସୁପାରିଶ କରିଛନ୍ତି । ସେମାନଙ୍କ ମଧ୍ୟରେ ସର୍ବାଗ୍ରେ ରହିଛି ବିଭି ନାଗରତ୍ନାଙ୍କ ନାମ । ଏହି ସୁପରାଶିପତ୍ରରେ ବି ଅନ୍ୟ ୨ ଜଣ ମହିଳାଙ୍କ ନାମ ରହିଛି । ସେମାନେ ହେଲେ ଜଷ୍ଟିସ ବେଲା ତ୍ରିବେଦୀ, ଓ ଜଷ୍ଟିସ ହିମା କୋହୀ ।

ଅନ୍ୟପଟେ ଅବସର ନେବା ପୂର୍ବରୁ ପୂର୍ବ ମୁଖ୍ୟ ବିଚାରପତି ଜଷ୍ଟିସ ଏସଏ ବୋବଡେ କହିଥିଲେ କି, ଭାରତ ପାଇଁ ଜଣେ ମହିଳା ମୁଖ୍ୟ ବିଚାରପତି ଚୟନ କରିବାର ସମୟ ଆସିଛି ଓ ଆମ ମନରେ ମହିଳାଙ୍କ ସ୍ୱାର୍ଥ ସର୍ବାଗ୍ରେ ରହିଛି । ଏହାସହ ଏହାକୁ ଉତ୍ତମ ମାଧ୍ୟମରେ ଲାଗୁ କରାଯାଉଛି ।