ଏଣିକି ମାତ୍ର ୯୦୦ ଟଙ୍କାରେ ବି କିଣି ପାରିବେ ହୀରା

49

କନକ ବ୍ୟୁରୋ: ହୀରା ପ୍ରିୟ ବ୍ୟକ୍ତିଙ୍କ ପାଇଁ ଏହି ମୂଲ୍ୟବାନ ଧାତୁ କିଣିବା ଆଉ କଷ୍ଟକର ହେବ ନାହିଁ । ମାସକୁ ୯୦୦ ଟଙ୍କା ଲେଖାଏଁ ନିବେଶ କରି ସେମାନେ ପ୍ରାୟ ଅଢ଼େଇ ବର୍ଷ ପରେ ହୀରା କିଣିପାରିବେ । ଇଣ୍ଡିଆନ୍ କମୋଡିଟି ଏକ୍ସଚେଞ୍ଜ (ଆଇସିଇଏକ୍ସ)କୁ ସେବି ଏଥିପାଇଁ ଅନୁମତି ପ୍ରଦାନ କରିଛି । ଖୁଚୁରା କ୍ରେତାମାନଙ୍କୁ ହୀରା କିଣିବା ସୁବିଧା ଯୋଗାଇ ଦେବା ଲାଗି ଆଇସିଇଏକ୍ସ ପକ୍ଷରୁ ଶୀଘ୍ର ଏକ ଏସଆଇପି ( ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ) ଆରମ୍ଭ ହେବ ।

ଏପର୍ଯ୍ୟନ୍ତ ଭାରତୀୟ ନିବେଶକମାନେ ମ୍ୟୁଚୁଆଲ ଫଣ୍ଡ ଏବଂ ଗୋଲ୍ଡ ଫଣ୍ଡକୁ ଏସଆଇପି ମାଧ୍ୟମରେ କ୍ରୟ କରି ପାରୁଛନ୍ତି । କିନ୍ତୁ ଏବେ ହୀରା ପାଇଁ ଏସଆଇପି ଆରମ୍ଭ ହେବ । ବିଶ୍ୱରେ ଏହା ପ୍ରଥମ ବୋଲି ଆଇସିଇଏକ୍ସର ଅଧିକାରୀମାନେ ମତ ଦେଇଛନ୍ତି ।

ହୀରା ଏସଆଇପି ଯୋଜନାରେ ଜଣେ ବ୍ୟକ୍ତିଙ୍କୁ ଆଇସିଇଏକ୍ସର ଜଣେ ବ୍ରୋକରଙ୍କ ନିକଟରେ ଆକାଉଣ୍ଟ ଖୋଲିବାକୁ ହେବ । ଆପଣଙ୍କ ଗ୍ରାହକଙ୍କୁ ଜାଣନ୍ତୁ ବା କେଓ୍ଵାଇସି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବାକୁ ହେବ । ଏହାପରେ କିଛି ଅର୍ଥ ଜମା କରିବାକୁ ପଡ଼ିବ । ମାସର କେଉଁ ତାରିଖରେ ହୀରା (ଇଲେକଟ୍ରୋନିକ୍ ଆକାରରେ) କିଣାଯିବ ସେ ନେଇ ବ୍ରୋକରଙ୍କୁ ସୂଚନା ଦେବାକୁ ପଡ଼ିବ ।

ଆଇସିଇଏକ୍ସ ଗ୍ରାହକଙ୍କ ପାଇଁ ୩ଟି ଆକାରର ବା ୩୦ ସେଣ୍ଟସ, ୫୦ ସେଣ୍ଟସ ଏବଂ ୧୦୦ ସେଣ୍ଟସ (୧ କ୍ୟାରଟ୍) ହୀରାକୁ ଷ୍ଟକ ମାର୍କେଟ ଭଳି ଡିମାଟ୍ ଆକାରରେ କିଣିବା ସୁଯୋଗ ମିଳିବ । ନିବେଶକାରୀ ଚାହିଲେ ବାସ୍ତବ ହୀରା ମଧ୍ୟ କିଣିପାରିବ ।

ବିଶ୍ୱର ପ୍ରମୁଖ ହୀରା କମ୍ପାନି ଡି ବିୟର୍ସ ହୀରାର ଶୁଦ୍ଧତା, ଗୁଣବତ୍ତା ଆଦିର ପ୍ରମାଣପତ୍ର ଦେବ। ସେହିଭଳି ବିଶ୍ୱରେ ଗ୍ରାହକଙ୍କ ନିକଟରେ ହୀରାର କୋରିଅର ସେବା ଯୋଗାଇ ଦେଉଥିବା କମ୍ପାନି ମାଲକାର ଭାରତୀୟ ଶାଖା ମାଲକା ଅମିତ୍ ଭାରତରେ ଗ୍ରାହକଙ୍କ ନିକଟରେ ହୀରା ପହଞ୍ଚାଇବ ବୋଲି ଆଇସିଇଏକ୍ସର ସିଇଓ ସଞ୍ଜିତ ପ୍ରସାଦ କହିଛନ୍ତି ।