ପେପର ପଢାରେ ମତୁଆଲା ଡ୍ରାଇଭର୍ ! ଯାତ୍ରୀଙ୍କ ଜୀବନକୁ ଭ୍ରୁକ୍ଷେପ ନକରି ବସ୍ ଚାଲୁଥିବା ସମୟରେ ଖବରକାଗଜ ପଢୁଥିବା ଡ୍ରାଇଭରଙ୍କ ଭିଡିଓ ହେଲା ଭାଇରାଲ୍ ।

35

ସକାଳୁ ସକାଳୁ ଖବରକାଗଜ ପଢିବା ଏକ ଭଲ ଅଭ୍ୟାସ । ଦେଶ ଦୁନିଆର ଖବର ବିଷୟରେ ଅବଗତ ହେବାର ଅଧିକାର ସମସ୍ତଙ୍କର ରହିଛି । କିନ୍ତୁ ଏଥିରେ କାହାର ଜୀବନକୁ ଯଦି କ୍ଷତି ପହଞ୍ଚେ ତେବେ ଏଭଳି ଅଭ୍ୟାସକୁ ଅଭ୍ୟାସ ନକହି ବଦଭ୍ୟାସ କହିବା ସାର ହେବ । ଆମେ ଏଠାରେ କହୁଛୁ ଜଣେ ବସ୍ ଡ୍ରାଇଭରଙ୍କ କଥା । ଯାହାଙ୍କ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି । ବସ୍ ଚଲାଇବା ସମୟରେ ଖବର କାଗଜ ପଢୁଛନ୍ତି ଏହି ଡ୍ରାଇଭର । ଏପରି ଏକ ଆଶ୍ଚର୍ଯ୍ୟ ଜନକ ଦୃଶ୍ୟ ଦେଖିବାକୁ ମିଳିଛି ତାମିଲନାଡୁର ରାଜଧାନୀ ଚେନ୍ନାଇରେ । ଡ୍ରାଇଭର ଜଣଙ୍କ ବସରେ ବସିଥିବା ସମସ୍ତ ପ୍ୟାସେଞ୍ଜରଙ୍କ ଜୀବନକୁ ବିପଦରେ ପକାଇ ଗାଡି ଚଲାଉଛନ୍ତି । ଏହି ଦୃଶ୍ୟକୁ ଦେଖିଲେ ଅନୁମାନ କରିହେବ କିପରି ଅତି ହାଲକା ଭାବେ ଏହି ଘଟଣାକୁ ନେଇଛନ୍ତି ଡ୍ରାଇଭର ।

ରାଜଧାନୀ ଚେନ୍ନାଇର ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ବିନା ଚିନ୍ତାରେ ପେପର ପଢୁଛନ୍ତି ଏବଂ ତା ସହିତ ଗାଡି ମଧ୍ୟ ଚଲାଉଛନ୍ତି । ହେଲେ କେହି ତାଙ୍କୁ ଏ ନେଇ ପ୍ରଶ୍ନ ବି କରୁନାହାନ୍ତି । ଚେନ୍ନାଇର ଅବାଡିରୁ ତିରୁଆମୁରକୁ ଯାଉଥିବା ରାସ୍ତାରେ ବସଟି ଏହିପରି ଚାଲିଥିଲା । ଜୀବନକୁ ପାଣି ଛଡାଇ ବସିଥିଲେ ପାସେଞ୍ଜର । ଆଉ ଜଣେ ପାସେଞ୍ଜର ଏହି ଚିତ୍ରକୁ କ୍ୟାମେରାରେ ଉଠାଇଛନ୍ତି । ତେବେ ଏପରି ପେପର ପଢି ଗାଡି ଚଳାଇବାରେ ଡ୍ରାଇଭରଙ୍କ ପୂର୍ବରୁ ଅଭିଜ୍ଞତା ଅଛି କି ନାହିଁ, ଏପରି ଗାଡି ଚଲାଇବାର କ୍ଷମତା ତାଙ୍କର ଅଛି କି ନାହିଁ ତାହା ଏବେ ବି ଅସ୍ପଷ୍ଟ ରହିଛି ।