ଶ୍ରମିକଙ୍କୁ ଡାକୁଛି ସୁରଟ୍ । ଗଞ୍ଜାମରୁ ଗୁଜୁରାଟ ପାଇଁ ବାହାରୁଛି ୧୦ଟି ବସ୍, କାମଧନ୍ଦା ନଥିବା ଶ୍ରମିକ ପାଇଁ ଜାଲ ବିଛାଇଛନ୍ତି ଦଲାଲ୍ ।

387

କନକ ବ୍ୟୁରୋ : ଗଞ୍ଜାମ ଶ୍ରମିକଙ୍କୁ ଗୁଜୁରାଟ ନେଇଯିବା ପାଇଁ ପ୍ରସ୍ତୁତ ରହିଛି ବସ୍ । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶ୍ରମିକଙ୍କୁ ସୁରଟ ନେଇଯିବା ପାଇଁ ପୋଷ୍ଟର ଓ ମୋବାଇଲ୍ ମ୍ୟାସେଜ୍ ଜରିଆରେ ଶ୍ରମିକଙ୍କୁ ସୂଚନା ଦିଆଯାଉଛି । କରୋନା ଯୋଗୁଁ ଗଞ୍ଜାମ ଫେରି ଆସିଥିବା ଶ୍ରମିକଙ୍କ ହାତରେ ଏବେ କାମ ନାହିଁ । ଆଉ ଏହାର ସୁଯୋଗ ନେଇ ଶ୍ରମିକଙ୍କୁ ପୁଣି ଥରେ ସୁରଟ ନେଇଯିବା ପାଇଁ ଦଲାଲ ମାନେ ଜାଲ ବିଛାଇଛନ୍ତି ।

କରୋନା କାଳରେ କାମ ଧନ୍ଦା ନଥିବାରୁ ଶ୍ରମିକମାନେ ଘରେ ବସି ରହିଥିବା ବେଳେ ପୋଷ୍ଟର ଏବଂ ମୋବାଇଲ ମ୍ୟାସେଜ୍ ଜରିଆରେ ଗଂଜାମ ଶ୍ରମିକଙ୍କୁ ପ୍ରଲୋଭିତ କରୁଛନ୍ତି ଦଲାଲ୍ । ଚକଦେ ଗୁଜୁରାଟ୍ ନାରା ଦେଇ- ଗଞ୍ଜାମ ଜିଲ୍ଲାରୁ ଶ୍ରମିକଙ୍କୁ ନେଇ ସୁରଟ ବାହାରିବ ବସ । ଏଥିପାଇଁ ୧୦ଟି ବସ୍ ପ୍ରସ୍ତୁତ ରଖିଛନ୍ତି ଦଲାଲ୍ । ୨ଟି ବସ୍ ବୁକିଂ ହୋଇ ସାରିଥିବା ବେଳେ ତୃତୀୟ ବସର ବୁକିଂ ଚାଲିଛି । ଜିଲ୍ଲାର ସେରଗଡ଼, ବେଲଗୁଣ୍ଠ, ଭଞ୍ଜନଗର ଭଳି ଏକାଧିକ ସ୍ଥାନରୁ ବସ୍ ବାହାରିବ ବୋଲି ଦାବି କରୁଛନ୍ତି ଶ୍ରମିକଙ୍କୁ ପ୍ରଲୋଭନ ଦେଖାଉଥିବା ଦଲାଲ୍ ।

ବଡ଼ କଥା ହେଉଛି-ଶ୍ରମିକଙ୍କୁ ଗୁଜୁରାଟ ଯିବା ପାଇଁ ପ୍ରଲୋଭିତ କରୁଥିବା ଏହି ଦଲାଲ୍ ଜଣକର କାମ ହେଲା କେବଳ, ଶ୍ରମିକଙ୍କୁ ନେଇ ସୁରଟରେ ପହଂଚାଇଦେବ । କ’ଣ ଖାଇବେ ଏବଂ କେଉଁଠି ରହିବେ ସେନେଇ କୌଣସି ପ୍ରତିଶ୍ରୁତି ଦେବାକୁ ମନା କରିଦେଇଛି । ଯେହେତୁ ଲୋକଙ୍କ ପାଖରେ କାମଧନ୍ଦା ନାହିଁ, ଏଭଳି ଦଲାଲଙ୍କ କବଳରେ ପଡ଼ିବାର ଆଶଙ୍କା ରହୁଛି । ଆଉ ଏହାରି ଭିତରେ କିଛି ଶ୍ରମିକ ବସ୍ ଯୋଗେ ପୂର୍ବରୁ ଗୁଜୁରାଟ ମଧ୍ୟ ଯାଇସାରିଛନ୍ତି ।

Comments are closed.