କନକ ବ୍ୟୁରୋ : ଦିଗପହଣ୍ଡିର ଖେମୁଣ୍ଡି କଲେଜ ନିକଟରେ ଭୟଙ୍କର ବସ୍ ଦୁର୍ଘଟଣାରେ ୧୨ ଜଣଙ୍କ ଜୀବନ ଯାଇଛି । ୮ ଜଣ ଗୁରୁତର ଆହତ ହୋଇଛନ୍ତି । ବ୍ରହ୍ମପୁରରୁ ବାହାଘର ଭୋଜି ଖାଇ ଫେରୁଥିବା ବେଳେ ବସକୁ ଧକ୍କା ଦେଇଥିଲା ଏକ ସରକାରୀ ବସ୍ । ତେବେ ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୭ ଜଣ ମୃତ୍ୟୁ ବରଣ କରିଛନ୍ତି । ମୃତକଙ୍କ ମଧ୍ୟରେ ୬ ପୁରୁଷ, ୪ ମହିଳା ଓ ୨ ଶିଶୁ ରହିଛନ୍ତି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ମୃତକଙ୍କ ପରିଚୟ ମିଳିଛି ।
ମୃତକ ମାନେ, ମନ୍ତ୍ରୀ ବିକ୍ରମ ଆରୁଖ ଓ ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି । ମୃତକ ହେଉଛନ୍ତି ଶିବାନୀ ପ୍ରଧାନ, ରୂପାଲି ପ୍ରଧାନ, ସୁଜ୍ଞାନୀ କୁମାର ପ୍ରଧାନ, ସଙ୍ଗୀତା ଡାକୁଆ, ଲିଟୁ ନାୟକ, ତ୍ରିପତି ପ୍ରଧାନ, ରମେଶ ପ୍ରଧାନ, ସୀତାରାମ ପ୍ରଧାନ, ଶୁଭେନ୍ଦୁ ପ୍ରଧାନ, ସଞ୍ଜୟ ମେଦିନ ରୟ ମତ୍ୟୁବରଣ କରିଥିବା ବେଳେ ବର୍ଷକର ଶିଶୁ ହାର୍ଦ୍ଦିକ ଓ ୩ ବର୍ଷର ଶିଶୁ ଦିବ୍ୟାଂଶୁ ପ୍ରଧାନ ମୃତ୍ୟୁବରଣ କରିଛନ୍ତି ।
ସୂଚନା ଅନୁସାରେ, ଓଏସଆରଟିସି ବସ ଓ ମିନି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ରବିବାର ରାତିରେ ବ୍ରହ୍ମପୁର ବ୍ରହ୍ମାନଗରରେ ହେଉଥିବା ବାହାଘର ଉତ୍ସବରେ ଯୋଗଦେବା ପାଇଁ ପାଟପୁର ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗାଁରୁ କନ୍ୟାଯାତ୍ରି ଦଳ ଆସିଥିଲେ । ବାହାଘର ସ୍ଥାନରେ କନ୍ୟାକୁ ଛାଡିବା ପରେ ଭୋଜି ଖାଇ ଏକ ମିନି ବସ୍ରେ ପ୍ରାୟ ୩୦ ଜଣ କନ୍ୟାଯାତ୍ରୀ ନିଜ ଗାଁକୁ ଫେରୁଥିଲେ । ରାତି ପ୍ରାୟ ସାଢେ ଗୋଟାଏ ବେଳେ ଖେମୁଣ୍ଡି ଛକ ପାରି ହୋଇ ମଳାଭଂଜା ନିକଟରେ ମିନି ବସ୍ଟି ପହଂଚିଥିଲା । ଏହି ସମୟରେ ବିପରିତ ଦିଗରୁ ଗୁଡାରୀରୁ ବ୍ରହ୍ମପୁର ଆସୁଥିବା ଓଏସଆରଟିସିର ଏକ ବସ୍ ଦ୍ରୁତ ଗତିରେ ମିନି ବସ୍କୁ ଧକ୍କା ଦେଇଥିଲା । ମୁହାଁମୁହିଁ ଧକ୍କା ଯୋଗୁଁ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଉଭୟ ବସର ସାମ୍ନାପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଚାପି ହୋଇଯାଇଛି । ସ୍ଥାନୀୟ ଲୋକେ, ପୋଲିସ ଓ ଦିଗପହଣ୍ଡି ଅଗ୍ନିଶମ ବିଭାଗର କର୍ମଚାରୀ ଦୁର୍ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତ ଯାତ୍ରୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା କରାଯାଉଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/Screen-Shot-2023-06-26-at-10.49.13-AM.jpg)