ଭାରସାମ୍ୟ ହରାଇ ଓଲଟିଲା ରାଉରକେଲାରୁ ବଣେଇ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍‌ : ୧୨ଜଣ ଆହତ, ଜଣେ ଗୁରୁତର

352

କନକ ବ୍ୟୁରୋ : ଭାରସାମ୍ୟ ହରାଇ ଓଲଟିଲା ପାର୍ବତୀ ବସ୍‌ । ଆଜି ଅପରାହ୍ନରେ ରାଉରକେଲାରୁ ବଣେଇ ଯାଉଥିବା ବେଳେ ୧୪୩ ନମ୍ବର ଜାତୀୟ ରାଜପଥ ଜଲଦା ଫାଣ୍ଡି ନିକଟରେ ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଏଥିରେ ୧୨ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି ।

 ଆଜି ଅପରାହ୍ନରେ ରାଉରକେଲାରୁ ବଣେଇ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ପାର୍ବତୀ ବସ୍‌ (ଓଡ଼ି ୧୪୫୫୦) ଜଲଦା ପାଣ୍ଡି ନିକଟରେ ଭାରସାମ୍ୟ ହରାଇଥିଲା। ଫଳରେ ଚାଳକ ଆଉ ବସ୍‌ ଉପରେ ନିୟନ୍ତ୍ରଣ ରକ୍ଷା କରି ପାରି ନ ଥିବାରୁ ବସ୍‌ଟି ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିଲା। ତେବେ ଏହି ସ୍ଥାନରେ ରାସ୍ତାକାମ ଚାଲିଥିବା ହେତୁ ରାସ୍ତା ଆବୁଡାଖାବୁଡା ହୋଇ ରହିଥିଲା, ତେଣୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

ଫଳରେ ବସ୍‌ରେ ବସିଥିବା ୧୨ଯାତ୍ରୀ ଏହି ଦୁର୍ଘଟଣାରେ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ଆହତଙ୍କୁ ରାଉରକେଲାସ୍ଥିତ ଆରଜିଏଚ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ରଘୁନାଥପାଲି ଓ ଜଲଦା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।