ବୁର୍ଲା ବଡମେଡିକାଲର ଭିତିରି କଥା : ହୃଦରୋଗ ବିଭାଗ ଆଗରେ ଝୁଲୁଛି ତାଲା

34

ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ : ସମ୍ବଲପୁର ବୁର୍ଲା ମେଡ଼ିକାଲରେ ଥିବା ହୃଦରୋଗୀ ବିଭାଗ ଏବେ ଅଚଳ । ଏଠାକୁ ରୋଗୀ ଆସି ନିରାଶ ହୋଇ ଫେରି ଯାଉଛନ୍ତି । ଡ଼ାକ୍ତର ଥାଇ ମଧ୍ୟ ଅଚଳ ହୋଇ ପଡ଼ିଛି ହୃଦରୋଗ ବିଭାଗ । ଖାଁ ଖାଁ ହୋଇପଡ଼ିଛି ବୁର୍ଲା ମେଡ଼ିକାଲର ହୃଦରୋଗ ବିଭାଗ । ଖାଲି ପଡ଼ିଛି ୨୨ଟି ବେଡ଼୍ । ମେସିନ ଗୁଡ଼ିକ ବନ୍ଦ ହୋଇ ପଡ଼ିଛି । କିଛିଦିନ ହେଲା ବୁର୍ଲା ମେଡ଼ିକଲର ହୃଦରୋଗ ବିଭାଗର ଏପରି ଅବସ୍ଥା । ଏହି ବିଭାଗରେ ୪ ଜଣ ଡ଼ାକ୍ତର ରହିବା କଥା । କିନ୍ତୁ ବର୍ତ୍ତମାନ ଏହି ବିଭାଗ ଡ଼ାକ୍ତର ଶୁନ୍ୟ ହୋଇ ପଡ଼ିଛି । ଏହି ବିଭାଗରେ ବର୍ତମାନ ମୁଖ୍ୟ ପ୍ରଫେସର ସୁରେଶ ସାହୁ ଓ ଆସୋସିଏଟ ଡ଼ାକ୍ତର ସୁନିଲ ଶର୍ମା କାର୍ଯ୍ୟରତ ଅଛନ୍ତି । କିନ୍ତୁ ଏମାନେ ୨୪ ଘଂଟା କାମ କରି ପାରିବେ ନାହିଁ ବୋଲି ମେଡ଼ିକାଲ ଅଧିକ୍ଷକଙ୍କୁ ଜଣାଇ ଆଉ ବିଭାଗକୁ ଆସୁନାହାନ୍ତି । ଅନ୍ୟପଟେ ବୁର୍ଲା ମେଡ଼ିକାଲ ଉପରେ ପଶ୍ଚିମ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟ ଛତିଶଗଡର ରୋଗୀ ସ୍ୱାସ୍ଥ୍ୟ ସେବା ପାଇଁ ଭରସା କରନ୍ତି । ସୃଷ୍ଟି ହୋଇଥିବା ପରିସ୍ଥିତି ନେଇ ସରକାରଙ୍କୁ ଜଣାଇ ଦିଆଯାଇଥିବା ବୁର୍ଲା ମେଡିକାଲ କର୍ତୃପକ୍ଷ କହିଛନ୍ତି ।