ବୁଲିବାଇ ଆପ୍ ମାମଲା : ଓଡିଶାରୁ ଜଣଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ; ମୁସଲମାନ ମହିଳାଙ୍କୁ ବଦନାମ୍ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିଲା ଏହି ଆପ୍

498

କନକ ବ୍ୟୁରୋ : ବୁଲିବାଇ ଆପ୍ ମାମଲାରେ ଓଡିଶାରୁ ଜଣଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ଏନେଇ ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ମିଳିଛି । ଏହି ମାମଲାରେ ଏପର୍ଯ୍ୟନ୍ତ ମୋଟ୍ ୫ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ସୋସିଆଲ ମିଡିଆର ବହୁଳ ବ୍ୟବହାର ପରେ ଏହାକୁ ମନ୍ଦ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି କିଛି ଅସାଧୁ ବ୍ୟକ୍ତି । ଏହି କ୍ରମରେ ଚର୍ଚ୍ଚାକୁ ଆସିଛି ବୁଲି ବାଇ ଆପ୍ ।

ଅଭିଯୋଗ ଅନୁସାରେ ଏହି ଆପ୍ଲିକେସନ ଜରିଆରେ ମୁସଲମାନ ମହିଳାଙ୍କୁ ଟାର୍ଗେଟ କରାଯାଉଛି । ମୁସଲମାନ ମହିଳାଙ୍କ ଫଟୋକୁ ଏହି ଆପ ଜରିଆରେ ସୋସିଆଲ ମିଡିଆରେ ଅପଲୋଡ କରି ସେମାନଙ୍କ ସମ୍ମାନହାନୀ ହେଲାଭଳି ମନ୍ତବ୍ୟ ସବୁ ଦିଆଯାଉଛି । ଏପରିକି ଅନଲାଇନରେ ନିଲାମ କରିବା ଭଳି ଘୃଣ୍ୟ ପଦକ୍ଷେପ ନିଆଯାଉଛି । ବିଶେଷ କରି ସମାଜରେ ପ୍ରତିଷ୍ଠା ଅର୍ଜନ କରିଥିବା ମୁସଲମାନ ମହିଳାଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ଏହି ଆପ୍ଲିକେସନକୁ ବ୍ୟବହାର କରାଯାଉଛି ।

ଜଣେ ସାମ୍ବାଦିକା ଏନେଇ ପ୍ରଥମେ ଅଭିଯୋଗ କରିବା ପରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ସାମ୍ନାକୁ ଆସିଥିଲା । ସାମାଜିକ କର୍ମୀ, ସେଲିବ୍ରିଟି ଓ ଛାତ୍ରୀମାନେ ସମାନ ଅଭିଯୋଗ କରିବା ପରେ ଆରମ୍ଭ ହୋଇଥିଲା ତନାଘନା । ଦିଲ୍ଲୀ ଓ ମୁମ୍ବାଇ ସାଇବର ପୋଲିସ ଏହି ମାମଲା ମୂଳରେ ପହଂଚିବା ସହ ଏକାଧିକ ବ୍ୟକ୍ତିଙ୍କୁ ଗିରଫ କରିଛି । ତେବେ ପ୍ରଥମଥର ପାଇଁ ଏହି ମାମଲାରେ ଓଡିଶାରେ ଜଣଙ୍କୁ ଉଠାଇ ନେଇଛି ମୁମ୍ବାଇ ପୋଲିସ ।