ପକ୍ଷୀଙ୍କ ପାଇଁ ତିଆରି ହେଲା ୬ ମହଲା ଘର। ୮୦ ଫୁଟ ଉଚ୍ଚ ଘରେ ରହିପାରିବେ ୨ ହଜାର ପକ୍ଷୀ।

239

କନକ ବ୍ୟୁରୋ: ଜୟପୁରର ଏକ ଗୋଶାଳାରେ ପକ୍ଷୀଙ୍କ ପାଇଁ ୮୦ ଫୁଟ ଉଚ୍ଚର ଘର ତିଆରି କରିଛି । ଏଥିରେ ଗୋଟିଏ ଗୋଟିଏ ଆପାର୍ଟମେଣ୍ଟରେ ପାଖାପାଖି ୨ ହଜାର ପକ୍ଷୀ ରହିପାରିବେ । ଭାରତରେ ୧୩ ଶହରୁ ଅଧିକ ପ୍ରଜାତିର ପକ୍ଷୀ ରହିଛନ୍ତି, ଏମାନଙ୍କ ମଧ୍ୟରୁ ଅନେକ ଆଜି ବିପଦରେ ରହିଛନ୍ତି । ବିଶେଷ କରି ଘରଚଟିଆ, ବଣି ଭଳି ଅନେକ ପ୍ରଜାତି ଆଜି ବିଲୁପ୍ତ । ପୂର୍ବରୁ ଘରେ ନିଜର ବସା କରୁଥିବା ଘରଚଟିଆ କିଛି କିଛି ସ୍ଥାନରେ ଦେଖିବାକୁ ମିଳୁଛନ୍ତି । ତେଣୁ ଆଜି ଅନେକ ଏମାନଙ୍କ ସଂରକ୍ଷଣ ପାଇଁ ଆଗକୁ ଆସିଛନ୍ତି । ରାଜସ୍ଥାନ ଜୟପୁରର ପିଞ୍ଜକାପୋଲ ଗୋଶାଳାରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ପକ୍ଷୀଙ୍କ ପାଇଁ ଏଠାରେ ୬ ମହଲା ବିଶିଷ୍ଟ ଘର ନିର୍ମାଣ ହୋଇଛି । ପକ୍ଷୀଙ୍କ ପାଇଁ ପ୍ରତି ମହଲାରେ ଘର ରହିଛି । ୨ ହଜାର ପକ୍ଷୀ ଏହି ଘରେ ରହିବା ପାଇଁ ବ୍ୟବସ୍ଥା ରହିଛି ।

୮୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଘରେ ଅଲଗା ଅଲଗା ଘର ରହିଛି । ଗୁଜରାଟର ସ୍ୱତନ୍ତ୍ର କାରିଗର ଏହାକୁ ନିର୍ମାଣ କରିଛନ୍ତି । ଦିନକୁ ଦିନ ଫ୍ଲାଟର ସଂସ୍କୃତି ବଢିବାରେ ଲାଗିଛି । ଗଛକାଟି ଲୋକେ କଂକ୍ରିଟ ଜଙ୍ଗଲ ତିଆରି କରିଛନ୍ତି । ଜଙ୍ଗଲ ନଷ୍ଟ ହେବା ସହ ପରିବେଶର ସନ୍ତୁଳନ ନଷ୍ଟ ହେଉଛି ଏବଂ ଏହା ଉପରେ ନିର୍ଭର କରୁଥିବା ପକ୍ଷୀମାନେ ବିଲୁପ୍ତ ହେଉଛନ୍ତି । ଏହାକୁ ଧ୍ୟାନରେ ରଖି ଏଭଳି ସ୍ୱତନ୍ତ୍ର ଘର ତିଆରି ହେଉଛି । ପକ୍ଷୀଙ୍କର ଏହି ଆପାର୍ଟମେଣ୍ଟରେ କେବଳ ପକ୍ଷୀ ମାନଙ୍କ ପାଇଁ ପ୍ରସ୍ତୁତ ହୋଇଛି । ବର୍ତ୍ତମାନ ଯେଉଁ ସ୍ୱପ୍ନର ଘର ଆପଣ ଆଉ ଆମେ ଭାବୁଛେ ତାହା ପକ୍ଷୀଙ୍କ ପାଇଁ ମଧ୍ୟ ପ୍ରସ୍ତୁତ ହୋଇରହିଛି ।