କାଲିଠୁ ବିଧାନସଭାରେ ବଜେଟ୍ ଅଧିବେଶନ ! ଶେଷ ଲଢେଇ ପାଇଁ ଶାସକ-ବିରୋଧୀ ବଳ କଷାକଷି । 

55

କନକ ବ୍ୟୁରୋ : ଆସନ୍ତାକାଲିଠାରୁ ବିଧାନସଭାରେ ବଳ କଷାକଷି । ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ରାଜନୈତିକ ଦଳ ଗୁଡିକ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି । ଆସନ୍ତା ୭ ତାରିଖରେ ରାଜ୍ୟ ସରକାର ବଜେଟ୍ ଉପସ୍ଥାପନ କରିବେ । ୧ ଲକ୍ଷ ୩୨ ହଜାର ୬୬୦ କୋଟି ଟଙ୍କାର ଏହି ବଜେଟକୁ ଗତକାଲି ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ମିଳିଛି । 

କାଲିଠାରୁ ଆରମ୍ଭ ହେଉଥିବା ୭ ଦିନିଆ ବଜେଟ୍ ଅଧିବେଶନରେ ସରକାରଙ୍କୁ ଆକ୍ରମଣ କରିବା ପାଇଁ ବିରୋଧୀ ବିଧାୟକ ମାନେ ଏକାଠି ହୋଇଥିବା ବେଳେ ଶାସକ ଦଳ ମଧ୍ୟ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ହୋଇଛନ୍ତି । ନିର୍ବାଚନ ପୂର୍ବରୁ ଏହା ସମ୍ଭବତଃ ଶେଷ ଅଧିବେଶନ ହୋଇଥିବା ବେଳେ ଜନତାଙ୍କ ଧ୍ୟାନ ଅକର୍ଷଣ ପାଇଁ ରାଜନୈତିକ ଦଳ ଗୁଡିକ ପ୍ରାଣମୂର୍ଚ୍ଚା ଉଦ୍ୟମ କରିବାର ସମ୍ଭାବନା ରହିଛି । କୃଷି ଓ କୃଷକଙ୍କ ସମସ୍ୟା ଏହି ଅଧିବେଶନକୁ ସରଗରମ କରିବ ବୋଲି ଆଶା କରାଯାଉଛି । ବିଜେଡିର ବିଧାୟକ ଦଳ ବୈଠକ ପରେ ନବୀନ କହିଛନ୍ତି, ତାଙ୍କ ସରକାର ମୁକ୍ତ ଓ ଅବାଧ ଭାବେ ସମସ୍ତ ଆଲୋଚନାରେ ଭାଗ ନେବେ । ଏହା ଛଡା କେନ୍ଦ୍ର ସରକାରଙ୍କ ଅବହେଳା , ମହାନଦୀ ଓ ପୋଲାଭରମ ପ୍ରସଙ୍ଗ ମଧ୍ୟ ବିଜେଡି ଉଠାଇବ ।